Categories: ଜାତୀୟ

କୃଷି ଆଇନକୁ ବିରୋଧ କଲା କଂଗ୍ରେସ

ନୂଆଦିଲ୍ଲୀ,୨୨ ।୭: କେନ୍ଦ୍ର ସରକାରଙ୍କ ୩ଟି ଯାକ କୃଷି ଆଇନକୁ ବିରୋଧ କରିଛି କଂଗ୍ରେସ । ଗୁରୁବାର ଏହି ଆଇନକୁ ଫେରାଇ ନେବାକୁ ଦାବି କରି ସଂସଦ ଭବନ ପରିସରରେ କଂଗ୍ରେସ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି । ଏଥିରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଅନୁଗାମୀମାନେ ଯୋଗ ଦେଇଛନ୍ତି । ଉଭୟ ଲୋକ ସଭା ଓ ରାଜ୍ୟ ସଭାର ଏମ୍‌ପିମାନେ ଏହି ବିରୋଧ ପ୍ରଦର୍ଶନରେ ସାମିଲ ହୋଇଛନ୍ତି । ସଂସଦ ଭବନ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ଏମାନେ ଏକାଠି ହୋଇଛନ୍ତି । ଏଥିରେ ରାହୁଲଙ୍କ ବ୍ୟତିତ ଲୋକ ସଭାର କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୂରୀ, ଲୋକ ସଭା ସଦସ୍ୟ ମନିଷ ତିୱାରୀ, ଗୌରବ ଗୋଗୋଇ ଆଦି ଯୋଗ ଦେଇଥିଲେ । ଏହାସହ ରାଜ୍ୟ ସଭା ସଦସ୍ୟ ପ୍ରତାପ ସିଂ ବାଜୱା ଓ ଆଉ କେତେଜଣ କଂଗ୍ରେସ ଏମ୍‌ପି ଏଥିରେ ଯୋଗ ଦେଇଥିଲେ । ଏହି ସମୟରେ କଂଗ୍ରେସ ଏମ୍‌ପିମାନେ, କାଲା କାନୁନ ୱାପସ ଲୋ, ପ୍ରଧାନମନ୍ତ୍ରୀ ନ୍ୟାୟ କରୋ ଭଳି ସ୍ଲୋଗାନ ଦେଇଥିଲେ । ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ କୃଷି ଆଇନକୁ କୃଷକ ଗତବର୍ଷ ନଭେମ୍ବରରୁ ବିରୋଧ କରି ଆସୁଥିବା ବେଳେ ରାଜଧାନୀର ବିଭିନ୍ନ ସୀମାରେ ଏପର୍ଯ୍ୟନ୍ତ ବିରୋଧ ପ୍ରଦର୍ଶନ ଚାଲିଛି । ଆଉ ଏହି ସମୟରେ ସୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବା ବେଳେ ବିପକ୍ଷ କଂଗ୍ରେସର ଏଭଳି ବିରୋଧ ପ୍ରଦର୍ଶନକୁ ବେଶ୍ ଗୁରୁତର ସହ ନିଆଯାଉଛି । ମୋଦି ସରକାର କୃଷକଙ୍କ ଦାବି ମାନି ନ ନେବାରୁ ଏପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି କୃଷକ ।

Share