ନଟବର ଖୁଣ୍ଟିଆ
କରୋନା ଭୂତାଣୁ ଚାଇନାର ଉହାନ ସହରରୁ ଗତବର୍ଷ ଡିସେମ୍ବରରେ ଜନ୍ମନେଇ ଆଜି ସାରା ବିଶ୍ୱରେ ତା’ର କାୟାବିସ୍ତାର କରି ବିଶ୍ୱରେ କୋକୁଆ ଭୟ ସୃଷ୍ଟି କରିଛି ।
ଚାଇନାଠାରୁ ଆରମ୍ଭ କରି ଆମେରିକା, ଇଂଲଣ୍ଡ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ ପରି ସମସ୍ତ ବିତ୍ତଶାଳୀ ଦେଶ କରୋନା ନିକଟରେ ପରାହତ। ଉପରୋକ୍ତ ବିଶ୍ୱ ସ୍ଥିତିକୁ ବିଚାର କଲେ ଭାରତ ପରି ଏକ ବିକାଶଶୀଳ ଦେଶବାସୀଙ୍କ ମନରେ ନିରାଶା ଓ ଆଶଙ୍କା ସୃଷ୍ଟି ହେବା ସ୍ବାଭାବିକ। ଅନ୍ୟ ଅର୍ଥରେ କହିବାକୁ ଗଲେ ‘ଶିଳ ଶିଳପୁଆ ଗଗନେ ଉଡୁଛି, ସିମିଳିତୁଳା କହୁଛି ମତେରଖ।’ ଆମର ଲୋକ ସଂଖ୍ୟା ଚାଇନା ପରେ ବିଶ୍ୱର ଦ୍ୱିତୀୟ ସର୍ବାଧିକ। ୧୩୦ କୋଟି ଲୋକଙ୍କୁ ଆଧୁନିକ ଚିକିତ୍ସା ପ୍ରଣାଳୀରେ କରୋନାଠାରୁ ବର୍ତ୍ତାଇ ରଖିବା ନିଶ୍ଚିତ ଭାବେ କାଠିକର ପାଠ। କରୋନା ପାଇଁ କୌଣସି ଔଷଧ ବାହାରି ନାହିଁ ନା ପ୍ରତିଷେଧକ ଟିକା ମଧ୍ୟ ବାହାରି ନାହିଁ। ଗୋଟିଏ ଶ୍ରେଷ୍ଠ ଉପାୟ ହେଲା ଯେହେତୁ କରୋନା ଏକ ସଂକ୍ରାମକ ରୋଗ-ଜଣଙ୍କଠାରୁ ଅନ୍ୟ ଜଣଙ୍କ ଶରୀରରେ ପ୍ରବେଶ ନ କରାଇଦେବା ପାଇଁ ସମସ୍ତ ଉପାୟ ଅବଲମ୍ବନ କରିବା, ଯାହାକୁ ଏବେ ଲୋକପ୍ରିୟ ଭାବରେ କୁହାଯାଉଛି ପରସ୍ପରଠାରୁ ସାମାଜିକ ଦୂରତ୍ୱ ରକ୍ଷା କରିବା। ଏହା ଏକ ସହଜ ସାଧ୍ୟ କଥା ନୁହେଁ, କିନ୍ତୁ ଏହାଠାରୁ ଆମ ପାଇଁ ଆଉ ସୁବିଧାଜନକ ବିକଳ୍ପ ନାହିଁ।
ଲକ୍ଡାଉନ୍ରେ ଗମନାଗମନ ରେଳ ପରିବହନ ସେବାଠାରୁ ଆରମ୍ଭ କରି ସ୍ଥଳପଥରେ ବସ୍ସେବା, ଆକାଶ ପଥରେ ଉଡ଼ାଜାହାଜ ସେବା ବନ୍ଦ କରିଦିଆଯାଇଛି। ହାଟ ବଜାରକୁ ନିୟନ୍ତ୍ରିତ ଭାବରେ ଖୋଲାଯାଇ ସାମାଜିକ ଦୂରତ୍ୱକୁ ଧ୍ୟାନରେ ରଖି ପରିଚାଳନା କରାଯାଉଛି। ଅନେକ ଶିଳ୍ପକୁ ବନ୍ଦ କରି ଦିଆଯାଇଛି। ଡାକ୍ତରୀସେବା, ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ସେବା ଓ ପରିଚାଳନା ପାଇଁ ଉଚ୍ଚ ପ୍ରଶାସନିକ ସେବାକୁ ଚାଲୁ ରଖାଯାଇଛି। ଏହା ଫଳରେ ବିଭିନ୍ନ କ୍ଷେତ୍ରରେ ଉତ୍ପାଦନ ହ୍ରାସ ପାଇଛି। ଖଟିଖିଆ, ଦିନ ମଜୁରିଆମାନେ ମଜୁରି ପାଉନାହାନ୍ତି। ସେମାନଙ୍କୁ ଖାଦ୍ୟ ସୁରକ୍ଷା ଆଇନ ମାଧ୍ୟମରେ ମାସକୁ ମାଗଣାରେ ୫ କିଲୋ ମୁଣ୍ଡପିଛା ଖାଦ୍ୟଶସ୍ୟ ଓ ଏକ କିଲୋ ଖାଇବା ତେଲ ପରିବାର ପିଛା ଦେବାର ବ୍ୟବସ୍ଥା ହୋଇଛି। ଧନ ଜନ ଯୋଜନା ମାଧ୍ୟମରେ ଯେଉଁ ବ୍ୟାଙ୍କ ଆକାଉଣ୍ଟ ଖୋଲା ହୋଇଥିଲା- ମହିଳାମାନଙ୍କ ନାମରେ ଯେଉଁସବୁ ଆକାଉଣ୍ଟ ଥିଲା ସେଥିରେ ୫୦୦ ଟଙ୍କା କରି ଜମା କରାଯାଇଛି ସରକାରଙ୍କ ପକ୍ଷରୁ। ପିଏମ୍ କିଷାନ ଯୋଜନା ମାଧ୍ୟମରେ ଚିହ୍ନିତ ଚାଷୀମାନଙ୍କୁ ୨ ହଜାର ଟଙ୍କା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ଦେବାର ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ରାଜ୍ୟ ସରକାର ମଧ୍ୟ ନିର୍ମାଣ ଶ୍ରମିକଙ୍କୁ ଆର୍ଥିକ ସାହାଯ୍ୟ ଦେବା ଆରମ୍ଭ କଲେଣି। ଏସବୁ ସତ୍ତ୍ୱେ ସମସ୍ତ ଗରିବ ଲୋକଙ୍କ ପାଖରେ ସାହାଯ୍ୟ ପହଞ୍ଚତ୍ ପାରୁନାହିଁ। ସମସ୍ତ ଗରିବ ଲୋକଙ୍କର ପଡିକାର୍ଡ ନାହିଁ ନା ଜନଧନ ଆକାଉଣ୍ଟ ନାହିଁ ଅବା ସମସ୍ତ ନିର୍ମାଣ ଶ୍ରମିକମାନେ ସେମାନଙ୍କ ନାମ ପଞ୍ଜୀକରଣ କରିନାହାନ୍ତି। ଅନେକ ଗରିବ ଲୋକ ସାହାଯ୍ୟରୁ ବଞ୍ଚତ୍ତ ହୋଇ ଭୋକ ଉପାସରେ କାଳାତିପାତ କରୁଛନ୍ତି। ଆମ ଅର୍ଥନୀତି ଠପ୍ ହେବାକୁ ବସିଲାଣି। ଆଇଏମ୍ଏଫ୍ କହିଲାଣି, ଭାରତର ଅଭିବୃଦ୍ଧି ମାତ୍ର ୧.୯ ପ୍ରତିଶତ ହେବ। କିନ୍ତୁ ଯାହା ପରିସ୍ଥିତି ସୃଷ୍ଟି ହେଲାଣି ସେହି ୧.୯ ପ୍ରତିଶତ ଅଭିବୃଦ୍ଧି ଆହୁରି ତଳକୁ ଖସିବା ବିଚିତ୍ର କଥା ନୁହେଁ।
ସମସ୍ତେ ଅନୁଭବ କରୁଛନ୍ତି, ଅର୍ଥନୀତି ତୁଳନାରେ ଜୀବନ ଆଗ- ତେଣୁ ଜୀବନ ରକ୍ଷା କରିବା ପାଇଁ ଲକ୍ଡାଉନ୍ ଅପରିହାର୍ଯ୍ୟ ବୋଲି ଅନେକେ ଏହାକୁ ସମର୍ଥନ କରୁଛନ୍ତି। ମଣିଷ ବଞ୍ଚତ୍ ରହିଲେ ପୁନଶ୍ଚ ଅର୍ଥନୀତିକୁ ସଜାଡ଼ିନେବ ବୋଲି ଆଶା କରୁଛନ୍ତି। କିନ୍ତୁ ପ୍ରଶ୍ନ ଉଠୁଛି, କେତେଦିନ ଲକ୍ଡାଉନ୍ ମଧ୍ୟରେ ଗୃହବନ୍ଦୀ ହୋଇ ରହି ଅପେକ୍ଷା କରିବା। କେବେ କରୋନା ଭୂତାଣୁ ଦୂରେଇଯିବ। ବଞ୍ଚତ୍ ରହିବା ପାଇଁ ମଣିଷର ବିଭିନ୍ନ ସର୍ବନିମ୍ନ ଆବଶ୍ୟକତା ମଧ୍ୟରୁ ଖାଦ୍ୟ ହେଲା ସର୍ବପ୍ରଥମ। ଖାଦ୍ୟ ବିନା ମଣିଷ ବଞ୍ଚତ୍ପାରିବ ନାହିଁ। ଖାଦ୍ୟ ଅଭାବ ପଡ଼ିଲେ ମଣିଷ କିପରି ପୋକମାଛି ପରି ମୃତ୍ୟୁବରଣ କରେ ତାହା ୧୮୬୬ର ନଅଙ୍କ ଦୁର୍ଭିକ୍ଷର ଚିତ୍ରକୁ ସ୍ମରଣ କଲେ ଲୋମ ଟାଙ୍କୁରି ଉଠେ। ଭାରତ ପରି ବିପୁଳ ସଂଖ୍ୟା ଥିବା ଦେଶ ବିଦେଶରୁ ଖାଦ୍ୟ ଆମଦାନୀ କରି ତା’ର ଦେଶବାସୀଙ୍କୁ ଖାଦ୍ୟ ଯୋଗାଇ ପାରିବ ନାହିଁ। କରୋନା ଯୋଗୁ ସାରା ବିଶ୍ୱରେ ଯେଉଁ ସ୍ଥିତି ସୃଷ୍ଟି ହୋଇଛି ପ୍ରତ୍ୟେକ ଦେଶରେ ଖାଦ୍ୟ ଉତ୍ପାଦନ ହ୍ରାସ ପାଇବ। କେତେକ ବିଶ୍ୱ ସଂଗଠନ ଓ ବିଶେଷଜ୍ଞ କହିଲେଣି କରୋନାର ପ୍ରଭାବ ପରବର୍ତ୍ତୀ ସମୟରେ ସାରା ବିଶ୍ୱରେ ଖାଦ୍ୟାଭାବ ପରି ଏପରି କ୍ଷୁଧା ସୃଷ୍ଟି କରିବ ଯେ, କେତେକ ଦେଶରେ ଲୋକେ ଖାଇବାକୁ ନ ପାଇ ମୃତ୍ୟୁବରଣ କରିବେ। ତେଣୁ କରୋନାର ପ୍ରାଦୁର୍ଭାବ ମଧ୍ୟରେ ଆମକୁ ଖାଦ୍ୟ ଉତ୍ପାଦନ କରିବାକୁ ହେବ। ଆଜି ଆମ ଖାଦ୍ୟ ଭଣ୍ଡାରରେ ଖାଦ୍ୟ ସାଇତା ହୋଇଥିବାରୁ ସରକାର ସାଙ୍ଗେ ସାଙ୍ଗେ ମୁଣ୍ଡପିଛା ୫ କିଲୋ କରି ଖାଦ୍ୟଶସ୍ୟ ପଡିକାର୍ଡଧାରୀମାନଙ୍କୁ ଦେଇଦେଲେ। ଲକ୍ଡାଉନ୍ ଯୋଗୁ ଖାଦ୍ୟଶସ୍ୟ ଅମଳ ଓ ଉତ୍ପାଦନ ପ୍ରକ୍ରିୟାକୁ ବାଧାଦେଲେ ଆଗାମୀ ଦିନରେ ଖାଦ୍ୟ ସମସ୍ୟା ସୃଷ୍ଟି ହେବା ଅନିବାର୍ଯ୍ୟ। କୃଷି ଉତ୍ପାଦନ ଋତୁ ଅନୁସାରେ ହୁଏ। ଆମ ଦେଶରେ ଖାଦ୍ୟ ଶସ୍ୟର ଉତ୍ପାଦନ ମୁଖ୍ୟତଃ ଖରିଫ୍ ଋତୁରେ ହୁଏ। ବର୍ତ୍ତମାନ ରବି ଋତୁର ଫସଲ ଅମଳ ସମୟ ଓ ଖରିଫ୍ ଋତୁରେ ଚାଷ କରିବା ପାଇଁ ପ୍ରସ୍ତୁତ ହେବାର ସମୟ। ଏବେ ଚାଷୀ ତା’ କ୍ଷେତକୁ ନ ଗଲେ ଚାଷୀକୁଳ କେବଳ ଭାସିଯିବ ନାହିଁ, ଦେଶରେ ଖାଦ୍ୟଶସ୍ୟର ଅଭାବ ପଡିବାର ଆଶଙ୍କା ବୃଦ୍ଧି ପାଇବ। ଅର୍ଥାତ୍ କିଛି ପରିମାଣରେ ବିପଦକୁ ବରଣ କରି ଆମକୁ କୃଷି କାର୍ଯ୍ୟକୁ ଚଳାଇ ରଖିବାକୁ ହେବ। ସୁତରାଂ ସୀମିତ ପରିମାଣରେ ଲକ୍ଡାଉନ୍କୁ କୋହଳ କରି ଚାଷୀ ଯେପରି ରବି ଫସଲ ଅମଳ କରି ବିକ୍ରି କରିପାରିବ ଏବଂ ଆଗାମୀ ଖରିଫ୍ ଚାଷ ପାଇଁ ସମସ୍ତ ପ୍ରାରମ୍ଭିକ ପ୍ରସ୍ତୁତି କରିବ ସେଥିପାଇଁ ବ୍ୟବସ୍ଥା ଆବଶ୍ୟକ। ଏକଥା ଉପଲବ୍ଧି କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷିକାର୍ଯ୍ୟ ପାଇଁ ଲକ୍ଡାଉନ୍ ବ୍ୟବସ୍ଥା କୋହଳ କରିବାର ନିଷ୍ପତ୍ତି ସ୍ବାଗତଯୋଗ୍ୟ। କୃଷି ଓ କୃଷକକୁ କରୋନା ଭୂତାଣୁର ଚକ୍ରବୂ୍ୟହରେ ମୁକ୍ତ ରଖିବା ପାଇଁ ନିମ୍ନୋକ୍ତ ପ୍ରସ୍ତାବଗୁଡିକୁ ବିଚାରକୁ ନିଆଯାଇପାରେ।
କୃଷି ଓ କୃଷକକୁ କରୋନାର ଚକ୍ରବ୍ୟୂହରୁ ସତର୍କତାର ସହ ବାହାର କରି ଆଣିଲେ ଆଗାମୀ ଦିନରେ ଖାଦ୍ୟ ସଙ୍କଟ ସମ୍ଭାବନାକୁ ଟାଳିଦେଇ ପାରିବା, ଭାରତ ଜିତିବ, କରୋନା ହାରିବ।
ଏ-୫୦୨, ମୋତିବ୍ଲକ, ତୋଷାଳୀ ଆପାର୍ଟମେଣ୍ଟ, ସତ୍ୟନଗର, ଭୁବନେଶ୍ୱର,
ମୋ-୯୯୩୭୯୫୧୨୬୨