କୃଷି କ୍ଷେତରେ ଜୈବିକ ଖତ ବ୍ୟବହାର ଉପରେ ଗୁରୁତ୍ୱ

ସୋନପୁର,୨୩।୧୦(ନି.ପ୍ର.)-ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସାରର ଊପଯୁକ୍ତ ବ୍ୟବାହରକୁ ନେଇ ନୂଆଦିଲ୍ଲୀ ଠାରେ ପ୍ରଥମ କରି ଆରମ୍ଭ ହୋଇଥିବା ଜନସଚେତନତା କାର୍ଯ୍ୟକ୍ରମର ସିଧା ପ୍ରସାରଣ ସକାଶେ ସୋନପୁର କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ମଙ୍ଗଳବାର ସ୍ବତନ୍ତ୍ର ବ୍ୟବସ୍ଥା ହୋଇଥିଲା। କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ମୁଖ୍ୟ ଅତିଥିଭାବେ ଏହି ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇ ସାରର ଉପଯୁକ୍ତ ବ୍ୟବହାର ନିମନ୍ତେ ଏହି କାର୍ଯ୍ୟକ୍ରମ କୃଷି ଅର୍ଥନୀତିକୁ ଅଧିକ ସୁଦୃଢ କରିପାରିବ ବୋଲି କହିଥିଲେ। ବିଶେଷ କରି କୃଷିକ୍ଷେତ୍ରରେ ଉତ୍ପାଦକତା ବୃଦ୍ଧି ପାଇଁ ମାଟି ପରୀକ୍ଷଣ, ଆବଶ୍ୟକତା ଅନୁଯାୟୀ ସାର ପ୍ରୟୋଗ, ପ୍ରାକୃତିକ ଏବଂ ଜୈବିକ ଖତର ପ୍ରୟୋଗ ଉପରେ କେନ୍ଦ୍ରମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଏହି ପରିପ୍ରେକ୍ଷୀରେ କୃଷି ବିଜ୍ଞାନ କେନ୍ଦ୍ର(କେଭିକେ) ଓ ଜିଲା କୃଷି ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗଦେଇ ସୁବର୍ଣ୍ଣପୁର ଭଳି କୃଷି ପ୍ରଧାନ ଜିଲାରେ ଗ୍ରମୀଣ ଅର୍ଥନୀତିର ବିକାଶ ଓ କୃଷକଙ୍କ ଉନ୍ନତି ପାଇଁ କୃଷି କ୍ଷେତ୍ରରେ ଉତ୍ପାଦକତା ବୃଦ୍ଧି ଏକ ବଡ ଆହ୍ବାନ ବୋଲି ମତପ୍ରକାଶ କରିଥିଲେ। କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ. ଜୀବନଜିତ୍‌ ସେନ୍‌ଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କର୍ମଶାଳାରେ ଜିଲା ଉପକୃଷି ନିର୍ଦ୍ଦେଶକ ସନ୍ତୋଷ କୁମାର ଜେନା, ବରମହାରାଜପୁର ଜିଲା କୃଷି ଅଧିକାରୀ ପ୍ରଶାନ୍ତ ଶତପଥୀ, ଡୁଙ୍ଗୁରିପାଲି ଜିଲା କୃଷି ଅଧିକାରୀ ଶ୍ରୀନିବାସ ମଲ୍ଳିକ, ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ତାରାକାନ୍ତ ପାତ୍ର ଓ ମୃତ୍ତିକା ରସାୟନବିତ୍‌ ଅନିଲ ପ୍ରହରାଜ ପ୍ରମୁଖ ଯୋଗଦେଇ ରାସାୟନିକ ସାରର ବ୍ୟବହାର କମାଇ ଜୈବିକ ସାର ବହୁଳ ବ୍ୟବହାର କରିବାକୁ ଉପସ୍ଥିତ କୃଷକମାନଙ୍କୁ ପରାମର୍ଶ ଦେଇଥିଲେ। କର୍ମଶାଳାରେ ଜିଲାର ୪୦୦ରୁ ଊର୍ଦ୍ଧ୍ୱ ଅଗ୍ରଣୀ ଚାଷୀ ଯୋଗ ଦେଇଥିଲେ। ଏହି ଅବସରରେ କେନ୍ଦ୍ର ପରିସରରେ ଆୟୋଜିତ କୃଷିଭିତ୍ତିକ ଯନ୍ତ୍ରପାତି ପ୍ରଦର୍ଶନୀକୁ ଅତିରିକ୍ତ ଜିଲାପାଳ ପଣ୍ଡା ଉଦ୍‌ଘାଟନ କରିଥିଲେ। କେଭିକେର ବୈଜ୍ଞାନିକ ଗୀତାଞ୍ଜଳି ପ୍ରଧାନ, ସୁପ୍ରିୟା ସେଠୀ, ଲୋପାମୁଦ୍ରା ରାୟ ଓ ନିହାର କାନ୍ତ ମଲ୍ଳିକ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ ।

Share