କୃଷି ନିର୍ଦ୍ଧାରଣ ବୈଠକରେ ଧାନଚାଷ ଓ ବିକ୍ରି ପ୍ରସଙ୍ଗ ପ୍ରତି ଗୁରୁତ୍ୱ

ବରଗଡ଼ ଅଫିସ,୧୩ା୬ : ବରଗଡ଼ ଜିଲାପାଳ ଅଫିସ ସମ୍ମିଳନୀ କକ୍ଷରେ ଗୁରୁବାର ଜିଲା କୃଷି ନିିର୍ଦ୍ଧାରଣ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଇନ୍ଦ୍ରମଣି ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆସନ୍ତା ଖରିଫ ଚାଷ ଉପରେ ଆଲୋଚନା ହୋଇଥିଲା। ବୈଠକରେ ଜିଲାପାଳ ତ୍ରିପାଠୀ ମୁଖ୍ୟତଃ ଧାନଚାଷ ଏବଂ ଏହାର ସଠିକ୍‌ ବିକ୍ରିକୁ ଗୁରୁତ୍ୱ ଦେଇ ଏଥିରେ ସମସ୍ତ ବିଭାଗୀୟ ଅଧିକାରୀ ଉପଯୁକ୍ତ ସମନ୍ବୟ ରଖିବାକୁ ପରାମର୍ଶ ଦେଇଥିଲେ। ସେହିପରି ଚାଷୀମାନେ ଯେଭଳି ନକଲି ବିହନ ବିକ୍ରେତାଙ୍କ ଜାଲରେ ନ ପଡ଼ନ୍ତି, ସେଥିପ୍ରତି ମଧ୍ୟ ନଜର ରଖିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲା କୃଷି ଉପନିର୍ଦ୍ଦେଶକ ଦୀନବନ୍ଧୁ ଗାନ୍ଧି ଖରିଫ ଚାଷ ପାଇଁ କୃଷି ବିଭାଗ ତଥା ସରକାରୀସ୍ତରରେ ନିଆଯାଇଥିବା ପଦକ୍ଷେପ ଉପରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ବୈଠକରେ ଜିଲାର କୃଷି, ସମବାୟ, ଉଦ୍ୟାନ ବିଭାଗର ଅଧିକାରୀ, କର୍ମଚାରୀମାନେ ଉପସ୍ଥିତ ଥିଲେ।