କୃଷ୍ଣପୁର-କରମଙ୍ଗୀ ରାସ୍ତା ଶୋଚନୀୟ

ତେଲକୋଇ, ୬।୧୦(ଡି.ଏନ.ଏ.)-ତେଲକୋଇ ବ୍ଲକ ଅନ୍ତର୍ଗତ ପଡାଙ୍ଗ ପଞ୍ଚାୟତର କୃଷ୍ଣପୁର ଦେଇ କରମଙ୍ଗୀ ପଞ୍ଚାୟତ ମୁଖ୍ୟାଳୟର ରାସ୍ତା ଶୋଚନୀୟ ହୋଇପଡିଛି । କୃଷ୍ଣପୁର ଗ୍ରାମଠାରୁ କରମଙ୍ଗୀ ପର୍ଯ୍ୟନ୍ତ ରହିଛି ୩କି.ମି. ରାସ୍ତା। ଏହା ଗ୍ରାମ୍ୟ ଓ ଗୃହ ନିର୍ମାଣ ବିଭାଗ ଅଧୀନରେ ଥିବା ବେଳେ ଦୀର୍ଘ ଦିନରୁ ଉକ୍ତ ରାସ୍ତାର ମରାମତି ହୋଇ ପାରି ନ ଥିବା ଯୋଗୁ ଏବେ ଯାତାୟାତରେ ବାଧା ସୃଷ୍ଟି ହୋଇଛି । ଏହା ରାସ୍ତା ଦେଇ ରାଇସୁଆଁ, ବଳଭଦ୍ରପୁର, ପୁରୁଜୋଡା ଓ କାଳିଆହତା ପଞ୍ଚାୟତର ଲୋକେ ଯାତ୍ରୀବାହୀ ବସ ଯୋଗେ ଯାତାୟାତ କରନ୍ତି। ହେଲେ ବିଭାଗୀୟ ଅବହେଳା ଯୋଗୁ ରାସ୍ତା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। ଏସମ୍ପର୍କରେ ଗ୍ରାମ୍ୟ ଓ ଗୃହ ନିର୍ମାଣ ବିଭାଗୀୟ ଯନ୍ତ୍ରୀ ଆର.ସେଠୀଙ୍କୁ ପଚାରିବାରୁ ଆମ ବିଭାଗର ଏସଡିଓଙ୍କ ବଦଳି ହୋଇଛି । ହେଲେ ଉକ୍ତ ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ହୋଇ ସାରିଛି । ଆଗାମୀ ଦିନରେ ତୁରନ୍ତ କାର୍ଯ୍ୟ ଆରମ୍ଭ ହେବ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।