କେଆଇଏଫ୍‌ଏଫ୍‌ରେ ପ୍ରଦର୍ଶିତ ହେବ ‘ପାଟଣାଗଡ଼’

ଭୁବନେଶ୍ୱର, ୧୨।୧୦(ବ୍ୟୁରୋ): ବଲାଙ୍ଗୀର ଜିଲାର ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଉପରେ ନିର୍ମିତ ବହୁଭାଷୀ ଫିଲ୍ମ ‘ପାଟଣାଗଡ଼’ ଆସନ୍ତା ନଭେମ୍ବର ୮ରେ ସମଗ୍ର ବିଶ୍ୱରେ ରିଲିଜ ହେବ। ଏହାସହ ଫିିଲ୍ମଟି ଆସନ୍ତା ନଭେମ୍ବର ୮ରୁ ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ୨୫ତମ କୋଲକାତା ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ(କେଆଇଏଫ୍‌ଏଫ୍‌)ରେ ପ୍ରଦର୍ଶିତ ହେବାକୁ ମନୋନୀତ ହୋଇଛି। ଓଡ଼ିଆ, ହିନ୍ଦୀ ଏବଂ ତେଲୁଗୁ ଭାଷାରେ ରିଲିଜ ହେବାକୁ ଥିବା ଏହି ଫିଲ୍ମରେ ମୁୁଖ୍ୟ ଭୂମିକାରେ ବଲିଉଡ୍‌ ଅଭିନେତା ଅତୁଲ୍‌ କୁଲକର୍ନୀ, ୟଶପାଲ ଶର୍ମା, ଓଡ଼ିଆ ଅଭିନେତା ମନୋଜ ମିଶ୍ର, ପୁଷ୍ପା ପଣ୍ଡା, ଅନୁ ଚୌଧୁରୀ, ତେଲୁଗୁ ଅଭିନେତା ଥନିକେଲ୍ଲା ଭାରାଣୀ ପ୍ରମୁଖଙ୍କୁ ଦେଖିବାକୁ ମିଳିବ।
୨୦୧୮ ଫେବୃୟାରୀ ୨୩ରେ ପାଟଣାଗଡ଼ର ବହୁଚ୍ଚର୍ଚିତ ପାର୍ସଲ ବୋମା ଘଟଣା ଉପରେ ଫିଲ୍ମର କାହାଣୀ ଆଧାରିତ। ଘଟଣାର ମୁଖ୍ୟ ଅପରାଧୀ ପୁଞ୍ଜିଲାଲ ମେହେର ଭୂମିକାରେ ନଜରକୁ ଆସିବେ ଲୋକପ୍ରିୟ ଅଭିନେତା ମନୋଜ ମିଶ୍ର। ସେହିପରି ସେତେବେଳେ ମାମଲାର ତଦନ୍ତକାରୀ ଅଧିକାରୀ ଥିବା ଓଡ଼ିଶା କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାଙ୍କ ଭୂମିକାରେ ଅଭିନୟ କରିଛନ୍ତି ଲୋକପ୍ରିୟ ବଲିଉଡ୍‌ ଅଭିନେତା ଅତୁଲ୍‌ କୁଲକନର୍ର୍ୀ। ତଦନ୍ତ କରି ବୋଥ୍ରା କିପରି ଘଟଣାର ପର୍ଦ୍ଦାଫାଶ କରିଥିଲେ ଏବଂ ପାର୍ସଲ ବୋମା ପଠାଇଥିବା ଅପରାଧୀକୁ ଖୋଜି ବାହାର କରିଥିଲେ ତାହାକୁ ନିଜ ଦମ୍‌ଦାର ଅଭିନୟ ମାଧ୍ୟମରେ ଉପସ୍ଥାପନ କରିବେ ଅତୁଲ୍‌। ପୂର୍ବରୁ ସେ କ୍ରାଇମ୍‌ ପାଟ୍ରୋଲ ଓ ସାବଧାନ ଇଣ୍ଡିଆ ଭଳି ଶୋ’ରେ ପୋଲିସର ଭୂମିକାରେ ଅଭିନୟ କରି ବେଶ୍‌  ଲୋକପ୍ରିୟତା ଅର୍ଜନ କରିଛନ୍ତି। ଫିଲ୍ମର ପ୍ରଯୋଜନା ଶ୍ରୀଧର ମାର୍ଥା କରିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ରାଜେଶ ଟଚରିଭର୍‌। ‘ପାଟଣାଗଡ଼’ ଫିଲ୍ମର ସିନେମାଟୋଗ୍ରାଫି ସହ କାହାଣୀ ଦମ୍‌ଦାର ହୋଇଥିବାରୁ ଏହା କେବଳ ଓଡ଼ିଶାରେ ନୁହେଁ, ରାଜ୍ୟ ବାହାରେ ମଧ୍ୟ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି।
Share