କେଉଁଠି ରଖିବେ କରୋନା ସଂକ୍ରମିତ ବ୍ୟକ୍ତି ବ୍ୟବହାର କରିଥିବା ବାସନ, ଲୁଗାପଟା

ନୂଆଦିଲ୍ଲୀ,୧୪।୫: କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୂରେଇବା ପାଇଁ ହେଲେ ମୁଖ୍ୟତଃ ସଫା ସୁତୁରା ରହିବା ସହ ସୋସିଆଲ ଡିଷ୍ଟାନସିଂକୁ ଗୁରୁତ୍ୱ ଦେବାକୁ କୁହାଯାଉଛି। ଏବେ କରୋନା ସଂକ୍ରମିତ ରୋଗୀଙ୍କର ଚିକିତ୍ସା ହସ୍ପିଟାଲରେ କରାଯାଉଥିବା ବେଳେ ଯେଉଁମାନଙ୍କଠାରେ ହାଲୁକା ଲକ୍ଷଣ ଦେଖାଯାଉଛି ସେମାନଙ୍କୁ ଘରେ ରହିବାକୁ ଅନୁମତି ପ୍ରଦାନ କରାଯାଇଛି। ଘରେ କ୍ୱାରାଣ୍ଟାଇନ ବା ଆଇସୋଲେଶନରେ ଥିବା ଲୋକଙ୍କର ସ୍ବତନ୍ତ୍ର ଯତ୍ନ ନେବାକୁ କୁହାଯାଇଥିବା ବେଳେ ଅନେକଙ୍କ ମନରେ ପ୍ରଶ୍ନ ଉଠୁଛି କି ଏମାନେ ବ୍ୟବହାର କରୁଥିବା ଲୁଗାପଟା ଓ ବାସନ କୁସନକୁ କେଉଁଠି ରଖିବେ। କାରଣ ଏସବୁ ସଂକ୍ରମିତ ହୋଇଥିବ ନିଶ୍ଚୟ। ଅନେକଙ୍କ ମନରେ ଏବେବି ଭ୍ରମ ଧାରଣା ରହିଛି କି କରୋନା ସଂକ୍ରମିତ ରହୁଥିବା ଘରର ବାୟୁ ଚଳାଚଳ ହେଲେ ଏହା ଶୀଘ୍ର ସଂକ୍ରମଣ କରିପାରେ। ହେଲେ ଏମାନେ ରହୁଥିବା ଘରର କବାଟ ଝରକା ଖୋଲା ରଖିବା ସହ ମୁକ୍ତ ବାୟୁ ଚଳାଚଳ ଓ ଆଲୋକ ଏମାନଙ୍କୁ ଶୀଘ୍ର ସୁସ୍ଥ କରିବାରେ ସହାୟକ ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ତେବେ କରୋନା ସଂକ୍ରମିତ ବ୍ୟବହାର କରିଥିବା ବାସନ ଓ ଲୁଗାପଟାକୁ ଉଷୁମ ପାଣିରେ ଗ୍ଲୋଭସ୍‌ ପିନ୍ଧି ସାବୁନ ବା ଡିଟରଜେଣ୍ଟ ପାଉଡରରେ ଭଲ ଭାବେ ଧୋଇନେବା ଦରକାର। ଏହାସହ ଏଗୁଡିକୁ ଟାଣ ଖରାରେ ଶୁଖାଇ ନେବା ଉଚିତ। ସଫା କରୁଥିବା ବ୍ୟକ୍ତି ଗ୍ଲୋଭସ ଖୋଲି ନିଜ ହାତକୁ ଆଉଥରେ ଭଲଭାବେ ଧୋଇବା ଦରକାର। ଏମିତି କଲେ ସଂକ୍ରମଣକୁ ଏଡାଇ ଦିଆଯାଇପାରେ।

Share