କେଉଁମାନଙ୍କୁ ହୋଇଥାଏ ବ୍ରେନ୍‌ ଷ୍ଟ୍ରୋକ୍‌ ଜାଣନ୍ତୁ

ମସ୍ତିଷ୍କରେ ହେଉଥିବା ଷ୍ଟ୍ରୋକ୍‌କୁ ବ୍ରେନ୍‌ ଷ୍ଟ୍ରୋକ୍‌ କୁହାଯାଏ। ଏଭଳି ପରିସ୍ଥିତିରେ ମସ୍ତିଷ୍କକୁ ରକ୍ତ ପହଞ୍ଚିବାରେ ସମସ୍ୟା ଦେଖା ଦେଇଥାଏ। ଯଦ୍ଦ୍ବାରା ମସ୍ତିଷ୍କର କୋଷିକା ନଷ୍ଟ ହୋଇ ଯାଇଥାଏ। ଷ୍ଟ୍ରୋକ୍‌ ସମୟରେ ଶରୀରର କୌଣସି ଅଙ୍ଗ କାମ କରି ନ ଥାଏ। ସ୍ବାସ୍ଥ୍ୟ ବିଶେଷଜ୍ଞ କୁହନ୍ତି, ବ୍ରେନ୍‌ ଷ୍ଟ୍ରୋକ୍‌ ହେବାର ସାଢ଼େ ୪ ଘଣ୍ଟା ଭିତରେ ଚିକିତ୍ସା କରାଗଲେ ଆରୋଗ୍ୟ ହେବାର ସମ୍ଭାବନା ଥାଏ। ନଚେତ୍‌ ରୋଗୀର ଜୀବନ ଚାଲିଯାଇଥାଏ।
କେଉଁମାନଙ୍କୁ ହୋଇଥାଏ:
ମଧୁମେହ, କୋଲେଷ୍ଟରଲ୍‌, ଉଚ୍ଚ ରକ୍ତଚାପ ଏବଂ ମେଦବହୁଳତା ରୋଗୀଙ୍କୁ ଷ୍ଟ୍ରୋକ୍‌ ହେବାର ଅଧିକ ସମ୍ଭାବନା ରହଥାଏ। ଯଦି ଏହି ରୋଗୀ ଚିନି, ଲୁଣ ଏବଂ ତେଲଯୁକ୍ତ ଖାଦ୍ୟ ଅଧିକ ଖାଇଥା’ନ୍ତି ତେବେ ଏମାନଙ୍କୁ ଷ୍ଟ୍ରୋକ୍‌ ହେବାର ଆଶଙ୍କା ଅଧିକ ଥାଏ। ବିଶେଷକରି ପୁରୁଷମାନଙ୍କୁ ଅଧିକ ଷ୍ଟ୍ରୋକ୍‌ ହୋଇଥାଏ।

ପ୍ରତିକାର:
ନିୟମିତ ଭାବରେ ପ୍ରଚୁର ପାଣି ପିଇବା ଉଚିତ୍‌ ବୋଲି ଡାକ୍ତର ପରାମର୍ଶ ଦିଅନ୍ତି। ଲୁଣ ଓ ଚର୍ବି ଜାତୀୟ ଖାଦ୍ୟ କମ୍‌ ମାତ୍ରାରେ ଖାଆନ୍ତୁ। ଭିଟାମିନ ‘ଏ’ ‘ଇ’ ଓ ‘ସି’ ଯୁକ୍ତ ଖାଦ୍ୟ ଖାଆନ୍ତୁ। ସବୁଜ ପନିପରିବା ଖାଆନ୍ତୁ ଏବଂ ନିୟମିତ ବ୍ୟବଧାନରେ ରକ୍ତଚାପର ପରୀକ୍ଷା କରାଇ ନିଅନ୍ତୁ। କାରଣ ଷ୍ଟ୍ରୋକ୍‌ର ମୁଖ୍ୟ କାରଣ ହେଉଛି ରକ୍ତଚାପ। ମାଦକ ଦ୍ରବ୍ୟଠାରୁ ମଧ୍ୟ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି।