Categories: ଜାତୀୟ

କେଜରିଓ୍ବାଲଙ୍କ ଶପଥ ଗ୍ରହଣ ଉତ୍ସବରେ ଶିକ୍ଷକଙ୍କ ଯୋଗଦାନକୁ ନେଇ ଉଠିଲା ବିବାଦ

ନୂଆଦିଲ୍ଲୀ,୧୫।୨: ଆମ ଆଦମୀ ପାର୍ଟି(ଏଏପି) ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ରବିବାର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏହି ଉତ୍ସବରେ ଯୋଗ ଦେବାକୁ କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ମିଳି ନ ଥିବା ବେଳେ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏଥିଲାଗି ନିମନ୍ତ୍ରଣ କରାଯାଇଛି। ଏହାସହ ଦିଲ୍ଲୀବାସୀଙ୍କୁ କେଜରିଓ୍ବାଲଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବାକୁ ଅନୁରୋଧ କରାଯାଇଛି। ଏବେ ଜଣାପଡିଛି କି ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏକ ସର୍କୁଲାର ଜାରି କରାଯାଇ ସରକାରୀ ସ୍କୁଲର ଶିକ୍ଷକମାନଙ୍କୁ କେଜରିଓ୍ବାଲଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ରାମଲୀଳା ମଇଦାନରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି। ଏହି ସର୍କୁଲାରକୁ ନେଇ ବିରୋଧୀ କେଜରିଓ୍ବାଲଙ୍କୁ ଟାର୍ଗେଟ କରିଛନ୍ତି। ଉଭୟ ଭାରତୀୟ ଜନତା ପାର୍ଟି(ଭାଜପା) ଓ କଂଗ୍ରେସ କେଜରିଓ୍ବାଲଙ୍କୁ ଟାର୍ଗେଟ କରି କହିଛନ୍ତି ଶିକ୍ଷକମାନେ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ଭଲକଥା ହେଲେ ସରକାରୀ ଭାବେ ସର୍କୁଲାର ଜାରି କରି ଏମାନଙ୍କୁ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ କହିବା ଭୁଲ୍‌ କଥା। ଏହାଦ୍ୱାରା ଭୁଲ୍‌ ପରମ୍ପରାର ଆରମ୍ଭ କରାଯାଉଛି ବୋଲି ବିରୋଧୀ କହିଛନ୍ତି।

Share