Categories: ଜାତୀୟ

କେଜରିଓ୍ବାଲଙ୍କ ଶପଥ ଗ୍ରହଣ ଉତ୍ସବରେ ‘କୁନି ମଫଲରମ୍ୟାନ’

ନୂଆଦିଲ୍ଲୀ,୧୬।୨: ଆମ ଆଦମୀ ପାର୍ଟି(ଏଏପି) ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ରବିବାର ତୃତୀୟଥର ଲାଗି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏହି ଶପଥ ଗ୍ରହଣ ସମାରୋହ ରାମଲୀଳା ମଇଦାନରେ ଅନୁଷ୍ଠିତ ହୋଇଛି। ଏଥିରେ କୌଣସି ନେତା ବା ମନ୍ତ୍ରୀ ନୁହେଁ ବରଂ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ‘କୁନି ମଫଲରମ୍ୟାନ’। ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ ଗତ ୧୧ ତାରିଖରେ ଘୋଷଣା କରାଯାଇଥିବା ବେଳେ ଏଏପି ମୋଟ ୭୦ ଆସନରୁ ୬୨ରେ ବିଜୟ ଲାଭ କରିଥିଲା। ଏହି ସମୟରେ କେଜରିଓ୍ବାଲଙ୍କୁ ଶୁଭେଚ୍ଛା ଜଣାଇବାକୁ ସମସ୍ତେ ପହଞ୍ଚିଥିବା ବେଳେ ଏହି ‘କୁନି ମଫଲରମ୍ୟାନ’ଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ଶିଶୁଟି କେଜରିଓ୍ବାଲଙ୍କ ପୂରୁଣା ଗେଟ୍‌ଅପ୍‌ରେ ଥିବାରୁ କେହି କେହି ତାଙ୍କୁ କୁନି କେଜରିଓ୍ବାଲ ମଧ୍ୟ କହିଥିଲେ। ଆଉ ସେହିଠାରେ ହିଁ ତାଙ୍କୁ ଶପଥ ଗ୍ରହଣ ଉତ୍ସବରେ ଏହି ଗେଟ୍‌ଅପ୍‌ରେ ଆସିବାକୁ ନିମନ୍ତ୍ରଣ କରାଯାଇଥିଲା। ସୂଚନାଯୋଗ୍ୟ, କେଜରିଓ୍ବାଲଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ଦିଲ୍ଲୀର ସାଧାରଣ ଜନତାଙ୍କୁ ନିମନ୍ତ୍ରଣ କରାଯାଇଥିଲା।

Share