Categories: ଜାତୀୟ

କେଜରିଓ୍ବାଲଙ୍କ ହନୁମାନ ଚାଳିଶା ପାଠକୁ ନେଇ ଆରମ୍ଭ ହେଲା ରାଜନୀତି

ନୂଆଦିଲ୍ଲୀ,୪।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ହନୁମାନ ଚାଳିଶା ପାଠକୁ ନେଇ ଏବେ ଭାରତୀୟ ଜନତା ପାର୍ଟି(ଭାଜପା) ନେତାମାନେ ତାଙ୍କୁ ଟାର୍ଗେଟ କରିଛନ୍ତି। ଏହାକୁ ନେଇ ଦିଲ୍ଲୀର ଭାଜପା ନେତା କପିଲ ମିଶ୍ରା କେଜରିଓ୍ବାଲଙ୍କୁ କଟାକ୍ଷ କରିଛନ୍ତି। ସେହିଭଳି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କାହା ନାଁ ନ ନେଇ କହିଛନ୍ତି ହନୁମାନଙ୍କୁ ଆଜିର ରାବଣମାନେ ଡରୁଛନ୍ତି। ସେହିଭଳି ଉତ୍ତର ପ୍ରଦେଶ ଗୋରଖପୁର ଲୋକ ସଭା ଆସନର ଭାଜପା ଏମ୍‌ପି ରବି କିଶନ କହିଛନ୍ତି, ଶାହିନ ବାଗରେ ବିରିୟାନି ଖାଇବା ପରେ ଏବେ କେଜରିଓ୍ବାଲଙ୍କ ମୁଣ୍ଡରେ ହଠାତ୍‌ ଏମିତି ଚିନ୍ତାଧାରା ପଶିଛି। ସେ ହନୁମାନଙ୍କୁ ବୋକା ବନାଇ ପାରିବେ ନାହିଁ। ଦିଲ୍ଲୀ ବିଧାନସଭା ନିର୍ବାଚନରେ କେଜରିଓ୍ବାଲ ହାରୁଛନ୍ତି ତେଣୁ ସେ ଏଭଳି କଥା କହୁଛନ୍ତି। ସୂଚନାଯୋଗ୍ୟ, ନିକଟରେ ଏକ ଘରୋଇ ଚ୍ୟାନେଲରେ ସେ ନିଜକୁ ହନୁମାନ ଭକ୍ତ କହିବା ସହ ହନୁମାନ ଚାଳିଶା ପାଠ କରିଥିଲେ। ଏବେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି।

Share