ନୂଆଦିଲ୍ଲୀ,୨୪ା୬: ରାଜଧାନୀ ଦିଲ୍ଲୀରେ ଅପରାଧ ବଢ଼ିଚାଲିଛି। ବସନ୍ତ ବିହାର ଅଞ୍ଚଳରେ ବୃଦ୍ଧ ଦମ୍ପତି ଓ ସେମାନଙ୍କ ଚାକରଙ୍କୁ ହତ୍ୟା ସମେତ ଗତ ୨୪ ଘଣ୍ଟାରେ ୯ ହତ୍ୟାକାଣ୍ଡ ଘଟିଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ କହିଛନ୍ତି। ଦିଲ୍ଲୀବାସୀ ସୁରକ୍ଷା ପାଇଁ କାହା ପାଖକୁ ଯିବେ ବୋଲି କେଜ୍ରିଓ୍ବାଲ ସୋସିଆଲ ମିଡିଆରେ ଟୁଇଟ୍ କରିବା ପରେ ଦିଲ୍ଲୀ ପୋଲିସ ଏହାର ପ୍ରତିବାଦ କରିଛି। ଦିଲ୍ଲୀ ପୂର୍ବପେକ୍ଷା ସୁରକ୍ଷିତ ରହିଛି ବୋଲି ପୋଲିସ ଦାବି କରିଛି। ଦିଲ୍ଲୀର ଆଇନ ଶୃଙ୍ଖଳା ଦାୟିତ୍ୱ କେନ୍ଦ୍ର ସରକାରଙ୍କର ହୋଇଥିବାରୁ କେଜ୍ରିଓ୍ବାଲ ପରୋକ୍ଷରେ ଏନ୍ଡିଏ ସରକାରଙ୍କୁ ଦୋଷ ଦେଇଛନ୍ତି। ସୂଚନାଯୋଗ୍ୟ ଦିଲ୍ଲୀ ପୋଲିସକୁ ନିଜ ଅଧୀନକୁ ଆଣିବା ଲାଗି ଆମ୍ ଆଦ୍ମୀ ପାର୍ଟି ସରକାର ଦୀର୍ଘଦିନ ହେଲା ଦାବି କରିଆସୁଛି। ଗତ ବର୍ଷ ଦିଲ୍ଲୀ ବିଧାନସଭାରେ ଏଥିପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା।