Categories: ଖେଳ

କେନର୍‌ସ କପ୍‌ ଚେସ୍‌: ହମ୍ପି ଚାମ୍ପିୟନ: ୨ ନମ୍ବର ସ୍ଥାନକୁ ଉଠିଲେ

ସେଣ୍ଟ ଲୁଇସ୍‌, ୧୭।୨(ପି.ଟି.): ଓ୍ବାଲର୍‌ଡ ରାପିଡ୍‌ ଚେସ୍‌ ଚାମ୍ପିୟନ କୋନେରୁ ହମ୍ପି ଆଉ ଏକ ବିଶ୍ୱସ୍ତରୀୟ ସଫଳତା ହାସଲ କରିଛନ୍ତି। ଆମେରିକାର ସେଣ୍ଟ ଲୁଇସ୍‌ରେ ଅନୁଷ୍ଠିତ କେନର୍‌ସ କପ୍‌ ଚେସ୍‌ ଟୁର୍ନାମେଣ୍ଟରେ ସେ ଟାଇଟଲ ହାସଲ କରିଛନ୍ତି। ନିଜ ଦେଶର ଦ୍ରୋଣାଭାଲି ହାରିକାଙ୍କ ବିପକ୍ଷ ନବମ ତଥା ଅନ୍ତିମ ରାଉଣ୍ଡ ମୁକାବିଲା ମ୍ୟାଚ୍‌ ଡ୍ର ରଖି ସେ ଚାମ୍ପିୟନ ହୋଇଛନ୍ତି। ମୋଟ ଉପରେ ସେ ୬ ପଏଣ୍ଟ ହାସଲ କରିଥିଲେ। ଏଥି ସହିତ ସେ ୫ ଇଲୋ ରେଟିଂ ପଏଣ୍ଟ ପାଇଛନ୍ତି ଓ ଏଥି ସହିତ ସେ ବିଶ୍ୱ ତାଲିକାର ୨ ନମ୍ବର ସ୍ଥାନ ହାସଲ କରିଛନ୍ତି।
ଗତ ଦୁଇମାସ ମଧ୍ୟରେ ହମ୍ପି ଦୁଇଟି ଟାଇଟଲ ହାସଲ କରିଛନ୍ତି। ୨୦୧୯ ଡିସେମ୍ବର ଶେଷ ସପ୍ତାହରେ ହମ୍ପି ବିଶ୍ୱ ଚାମ୍ପିୟନ୍‌ଶିପ୍‌ ହାସଲ କରିଥିଲେ। ନିଜ ସଫଳତାରେ ସେ ଖୁସି ଜାହିର କରିଛନ୍ତି। ଟାଇଟଲ ହାସଲ ପାଇଁ ସେ ଅନ୍ତିମ ରାଉଣ୍ଡରେ କେବଳ ମାତ୍ର ଏକ ଡ୍ର ଆବଶ୍ୟକ କରୁଥିଲେ। ଏହି ଟାଇଟଲ ଜିତିବା ସହ ହମ୍ପି ୪୫,୦୦୦ ଆମେରିକୀୟ ଡଲାର ପୁରସ୍କାର ହାସଲ କରିଛନ୍ତି। ଏହି ଟୁର୍ନାମେଣ୍ଟ ବିଶ୍ୱ ଅନ୍ୟତମ ଶ୍ରେଷ୍ଠ ଟୁର୍ନାମେଣ୍ଟ ବିବେଚିତ ହେଉଛି। ବିଶ୍ୱଚାମ୍ପିୟନ ଓ୍ବେନଜୁନ ଜୁ ୫.୫ ପଏଣ୍ଟ ହାସଲ କରିବା ସହ ଦ୍ୱିତୀୟସ୍ଥାନରେ ରହି ଅଭିଯାନ ଶେଷ କରିଛନ୍ତି। ସେହିପରି ମାରିୟା ମୁଜିଚୁକ୍‌ ୫ ପଏଣ୍ଟ ହାସଲ କରି ତୃତୀୟ ସ୍ଥାନରେ ରହିଛନ୍ତି।
ଅନ୍ତିମ ରାଉଣ୍ଡରେ ସେ ରୁଷିଆର ଆଲେଜାଣ୍ଡ୍ରା କୋଷ୍ଟେନିଉକ (୫ ପଏଣ୍ଟ)ଙ୍କୁ ପରାସ୍ତ କରିଥିଲେ। କୋଷ୍ଟେନିଉକ ଚତୁର୍ଥ ସ୍ଥାନରେ ରହିଛନ୍ତି। ଅନ୍ୟପଟେ ହାରିକା ୪.୫ ପଏଣ୍ଟ ହାସଲ ପଞ୍ଚମ ସ୍ଥାନରେ ରହି ଅଭିଯାନ ଶେଷ କରିଛନ୍ତି। କୋଷ୍ଟେନିଉକଙ୍କ ବିପକ୍ଷ ସପ୍ତମ ରାଉଣ୍ଡ ମ୍ୟାଚ୍‌ ସବୁଠାରୁ କଷ୍ଟକର ଥିଲା। ଏବେ ମେ’ ମାସରେ ଇଟାଲୀରେ ଆଉ ଏକ ବଡ଼ ଇଭେଣ୍ଟ ଗ୍ରାଣ୍ଡପ୍ରିକ୍ସ ଖେଳାଯିବ। ଅବଶ୍ୟ ସେତେବେଳେ ହମ୍ପି ଭାରତରେ ପିଏସ୍‌ପିବି ଟୁର୍ନାମେଣ୍ଟ ଖେଳୁଥିବେ। ହମ୍ପି ଏବେ ଏଫ୍‌ଆଇଡିଇ ମହିଳା ଗ୍ରାଣ୍ଡପ୍ରିକ୍ସ ସିରିଜରେ ଅଗ୍ରଣୀ ରହିଛନ୍ତି।

Share