Categories: ରାଜ୍ୟ

କେନାଲରେ ଆସୁନି ପାଣି, ପଛେଇଗଲାଣି ଚାଷ

ବାଲିଆ,୧୦।୭: ଜୁଲାଇ ମାସ ଅଧା ହେଲାଣି, ଅଥଚ ଚାଷଜମିକୁ ପାଣି ପହଞ୍ଚତ୍ପାରିନାହିଁ। ମୁଖ୍ୟ କେନାଲ ସମେତ ଶାଖା କେନାଲରେ ଏ ପର୍ଯ୍ୟନ୍ତ ପାଣି ଆସିନାହିଁ। ଫଳରେ ଚାଷୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିରିଡ଼ି ବ୍ଲକରେ ଚାଷୀମାନେ ମୁଖ୍ୟତଃ ବର୍ଷା ଓ କେନାଲ ପାଣି ଉପରେ ନିର୍ଭର କରି ଚାଷବାସ କରନ୍ତି। ତେବେ ଏହି ବ୍ଲକର ନୂଆପାରିଠାରୁ ଶିବପୁର ଅଞ୍ଚଳକୁ ଯାଇଥିବା ୪ନଂ କେନାଲରେ ଏ ପର୍ଯ୍ୟନ୍ତ ପାଣି ଛଡ଼ଯାଇନାହିଁ। ଜଗତ୍‌ସିଂହପୁର ଜଳସେଚନ ଡିଭିଜନ ବାଲିଆ ସେକ୍ସନ ଅଧୀନରେ ଥିବା ଏହି କେନାଲ ଏବେ ଶୁଖିଲା ପଡିଛି ଓ ଏହା ମଧ୍ୟରେ ଅନାବନା ଗଛ ଉଠିଯାଇଛି। ଉକ୍ତ କେନାଲ ଉପରେ ମୁଖ୍ୟତଃ କୁଳକଇଜଙ୍ଗା, ବୁଢାପଡ଼ା, ବାଲିଆ ଗୋପୀନାଥପୁର, ଅଢଙ୍ଗମଜୁରାଇ, ଅଢଙ୍ଗଗଡ଼, ଶିବପୁର ପଞ୍ଚାୟତର ଚାଷୀମାନେ ନିର୍ଭରଶୀଳ। ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଜଳସେଚନ ବିଭାଗ ମନ୍ତ୍ରୀଙ୍କ ଜିଲାରେ ଜଳ ଅଭାବରୁ ଚାଷୀ ଏଭଳି ଅସୁବିଧାର ସମ୍ମୁଖୀନ ହେବାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପକ୍ଷେ ଉପଯୁକ୍ତ ସମୟରେ କେନାଲ ସଫା କରାଯାଉନାହିଁ। ପାଣି ଛାଡ଼ିବା ସମୟରେ ଲୋକ ଦେଖାଣିଆ ଭାବେ ଠିକାଦାରଙ୍କ ମାଧ୍ୟମରେ କେନାଲ ମରାମତି ଓ ସଫେଇ ହେଉଛି। ଫଳରେ ନିମ୍ନମାନର କାର୍ଯ୍ୟ କରି ସରକାରୀ ଅର୍ଥ ହରିଲୁଟ୍‌ କରାଯାଉଥିବା ଅଭିଯୋଗ ହେଉଛି। କେନାଲ ସଫେଇ ଓ ମରାମତି ଶେଷ ହୋଇ ନ ଥିବାରୁ ପାଣି ଆସିବାରେ ମଧ୍ୟ ବିଳମ୍ବ ହେଉଛି। ଏନେଇ ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ।

Share