Categories: ଅପରାଧ

କେନାଲ ପାର୍ଶ୍ୱରୁ ଯୁବକଙ୍କ ମୃତଦେହ ଉଦ୍ଧାର : ହତ୍ୟା ଅଭିଯୋଗ ଆଣିଲେ ପରିବାର

ସୁକିନ୍ଦା,୭ା୬(ଡି.ଏନ୍‌.ଏ.):  ଯାଜପୁର ଜିଲା ସୁକିନ୍ଦା ଥାନା ଅନ୍ତର୍ଗତ ବିରିଗୋଡା ରେଙ୍ଗାଲି କେନାଲ ପାର୍ଶ୍ୱରୁ ଗୁରୁବାର ସକାଳେ ଜଣେ ଯୁବକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ଯୁବକ ଜଣକ ଲେମ୍ବୋ ପଞ୍ଚାୟତ ସିଙ୍ଗାଡିଆ ଗ୍ରାମର ଇନ୍ଦ୍ରମଣି ଦାସ। ସେ କଳିଙ୍ଗନଗର ଶିଳ୍ପାଞ୍ଚଳରେ ଶ୍ରମିକଭାବେ କାମ କରୁଥିଲେ ବୋଲି ଜଣାପଡିଛି। ଅପରପକ୍ଷେ ଇନ୍ଦ୍ରମଣିଙ୍କୁ ଯୋଜନା ବଦ୍ଧଭାବେ ହତ୍ୟାକରାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୋଲିସ ଏକ ମାମଲା (୫୦/୧୯୦) ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ଦାନଗଦୀ ପଠାଇ ଘଟଣାର ଅଧିକ ତଦନ୍ତ ଚଳାଇଛି। ପ୍ରକାଶ ଯେ, ଇନ୍ଦ୍ରମଣି ବୁଧବାର ରାତି ୮ଟା ପାଖାପାଖି ସମୟରେ ଡ୍ୟୁଟି ନିମନ୍ତେ ଘରୁ ଯାଇଥିଲେ। ହେଲେ ଆଉ ଫେରି ନ ଥିଲେ। ଗୁରୁବାର ସକାଳେ ବିରିଗୋଡା ରେଙ୍ଗାଲି କେନାଲ ପାର୍ଶ୍ୱରେ ତାଙ୍କ ମୃତଦେହ ଦେଖି ସ୍ଥାନୀୟ ଲୋକେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଇନ୍ଦ୍ରମଣିଙ୍କ ମୁଣ୍ଡରେ ଗଭୀର ଆଘତ ହୋଇଥିବାବେଳେ ବାଇକ୍‌ଟି ତାଙ୍କଠାରୁ କିଛି ବାଟ ଦୂରରେ ପଡିଥିବା ଦେଖିବାକୁ ମଳିଥିଲ। ଏହାକୁ ନେଇ ତାଙ୍କୁ ଯୋଜନାବଦ୍ଧଭାବେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଇନ୍ଦ୍ରମଣିଙ୍କ ପୂର୍ବରୁ ଉକ୍ତ ଗ୍ରାମର ଜଣେ ବ୍ୟକ୍ତିଙ୍କ ସହ ଗଣ୍ଡଗୋଳକୁ ନେଇ ମଧ୍ୟ ଥାନାରେ ବହୁବାର ଅଭିଯୋଗ ହୋଇଥିବା ପରିବାର ଲୋକେ କହିଛନ୍ତି। ଏ ସମ୍ପର୍କରେ ଥାନା ଅଧିକାରୀ ବିଚିତ୍ରାନନ୍ଦ ସେଠୀ କହିଛନ୍ତି, ଘଟଣାର ତଦନ୍ତ ଜାରିରହିଛି। ଖୁବ୍‌ଶୀଘ୍ର ଏହାର ପର୍ଦ୍ଦାଫାସ କରାଯିବ।