କେନାଲ ଭାଙ୍ଗି ପୁଣି ଜମିରେ ପଶିଲା ପାଣି : ଚାଷୀ କ୍ଷତିଗ୍ରସ୍ତ

ଆନନ୍ଦପୁର,୭।୯(ସ୍ବ.ପ୍ର.) : କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଅନ୍ତର୍ଗତ ଶାଳବଣି ପଞ୍ଚାୟତ ପଣ୍ଡୁଆଠାରେ ଜଳସମ୍ପଦ ବିଭାଗ ଦ୍ୱାରା ନିର୍ମାଣାଧୀନ ବାମପାର୍ଶ୍ୱ କେନାଲ ଭାଙ୍ଗି ପୁନର୍ବାର ବର୍ଷାପାଣି ପଶିବାରୁ ସାଧାରଣ ଚାଷ ସହିତ ମତ୍ସ୍ୟଚାଷ ବିଶେଷ ଭାବେ ପ୍ରଭାବିତ ହୋଇଛି। ପୂର୍ବରୁ ଘାଗରା ନଦୀର ଜଳ ଗତ ଅଗଷ୍ଟ ୨୪ରେ କେନାଲରେ ପ୍ରବେଶ କରି ବନ୍ଧ ଭାଙ୍ଗିଥିଲା। ଫଳରେ ବଳଦୁଆଁ, ପଣ୍ଡୁଆ ଓ ଚମର୍ଦାର ଚାଷୀମାନେ କୃତ୍ରିମ ବନ୍ୟାର ସମ୍ମୁଖୀନ ହୋଇ ବହୁ କ୍ଷତି ସହିଥିଲେ। ସରକାରଙ୍କ ମିଶ୍ରିତ ଚାଷ ଯୋଜନାରେ ପ୍ରୋତ୍ସାହିତ ହୋଇ ଚାଷକାର୍ଯ୍ୟରେ ନିଜକୁ ନିୟୋଜିତ କରିଥିବା କେତେକ ଯୁବଚାଷୀ ମଧ୍ୟ ଏହାର ପ୍ରଭାବରେ ଲକ୍ଷାଧିକ ଟଙ୍କାର କ୍ଷତିଗ୍ରସ୍ତ ହୋଇଥିଲେ। ଆନନ୍ଦପୁର ଜଳସମ୍ପଦ ବିଭାଗ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବୈତରଣୀ ନଦୀ ବ୍ୟାରେଜ୍‌ ଡିଭିଜନ ଅଧୀନରେ କାର୍ଯ୍ୟ ହେଉଥିବା ବାମପାର୍ଶ୍ୱ କେନାଲରେ ଅଚାନକ ଘାଗରା ନାଳରେ ବର୍ଷାପାଣି ପ୍ରବାହିତ ହୋଇ ୬ଟି ବିରାଟ ଘାଇ ସୃଷ୍ଟି ହୋଇଥିଲା। କେନାଲରେ ଘାଗରା ନାଳ ପାଣି ପ୍ରବେଶ କରୁଥିବା ସ୍ଥାନରେ ବନ୍ଦ କରାଯାଇ ନ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ପୁନର୍ବାର ପଣ୍ଡୁଆଠାରେ ଶୁକ୍ରବାର ରାତିରେ ହୋଇଥିବା ବର୍ଷାପାଣି ପ୍ରବେଶ କରି କେନାଲ ଭାଙ୍ଗି ଚାଷ କ୍ଷତିଗ୍ରସ୍ତ ହୋଇଛି। ଏହି ଘାଇ ଦ୍ୱାରା ବଳଦୁଆଁ ଗ୍ରାମର ଚକ୍ରଧର ଦାସ, ଜୟଦେବ ଦାସ, ପୂର୍ଣ୍ଣଚନ୍ଦ୍ର ଦାସ, ବନମାଳୀ ଦାସଙ୍କର ମାଛଚାଷ ସହିତ ଅନ୍ୟାନ୍ୟ ଚାଷ ବିଶେଷ ଭାବେ ପ୍ରଭାବିତ ହୋଇଛି। ପୂର୍ବରୁ ହୋଇଥିବା କ୍ଷତିର ଭରଣା ଏଯାଏ କରାଯାଇ ନ ଥିବାବେଳେ ପୁଣିଥରେ ଏଭଳି ପରିସ୍ଥିତି ଚାଷୀଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ପୂର୍ବରୁ କ୍ଷତିଗ୍ରସ୍ତ ହୋଇଥିବା ସ୍ଥାନକୁ ବହୁ ବିଭାଗୀୟ ଅଧିକାରୀ ପରିଦର୍ଶନ କରି କ୍ଷତିପୂରଣ ଦେବାକୁ ପ୍ରତଶ୍ରୁତି ଦେଇଥିଲେ ମଧ୍ୟ ଅଦ୍ୟାବଧି କୌଣସି କ୍ଷତିପୂରଣ ମିଳି ନ ଥିବା ବଳଦୁଆଁ ଚାଷୀ ଚକ୍ରଧର ସାହୁ ଅଭିଯୋଗ କରିଛନ୍ତି।