କେନିଆରେ ଆମେରିକା ସେନାଘାଟିକୁ ଟାର୍ଗେଟ

ନାଇରୋବି,୬ା୧(ଏପି): ଆମେରିକା ଓ ଇରାନ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନାର ପ୍ରଭାବ ଏବେ ଅନ୍ୟ ଦେଶଗୁଡ଼ିକରେ ଅନୁଭୂତ ହେଲାଣି। ସୋମାଲିଆର ଚରମପନ୍ଥୀ ସଙ୍ଗଠନ ଅଲ୍‌-ଶବାବ୍‌ ରବିବାର ଭୋର ସମୟରେ କେନିଆସ୍ଥିତ ଆମେରିକାର ଏକ ସେନାଘାଟିକୁ ଟାର୍ଗେଟ କରିଛି। ଏହି ଆକ୍ରମଣରେ ଆମେରିକାର କେତେକ ବିମାନ ଓ ଯାନବାହନ ଧ୍ସଂସ ହୋଇଯାଇଛି। କେନିଆ ସେନାର ଜବାବୀ କାର୍ଯ୍ୟାନୁଷ୍ଠାନରେ ଅନୂ୍ୟନ ୪ ଆକ୍ରମଣକାରୀ ନିହତ ହୋଇଥିବାବେଳେ ଅନ୍ୟ ୫ ଜଣ ଗିରଫ ହୋଇଥିବା ସେଠାକାର ପୋଲିସ ପକ୍ଷରୁ କୁହାଯାଇଛି। ଇରାନ ସପକ୍ଷବାଦୀ ଅଲ୍‌-ଶବାବ୍‌ ପକ୍ଷରୁ ଆମେରିକୀୟ ବଳ ଉପରେ ଏହା ହେଉଛି ପ୍ରଥମ ଆକ୍ରମଣ।
ସୀମାସ୍ଥିତ ଲାମୁ କୋଉଣ୍ଟିର କ୍ୟାମ୍ପ୍‌ ସିମ୍ବା ହେଉଛି ଆମେରିକାର ସେନାଘାଟି। ପ୍ରାୟ ଏକ ଦଶନ୍ଧି ପୂର୍ବେ ନିର୍ମିତ ଏହି ସେନାଘାଟିରେ ୧୦୦ ଆମେରିକୀୟ ସୈନ୍ୟ ଅଛନ୍ତି। ରବିବାର ଭୋର ୫ଟା ୩୦ରେ ଏହାର ଏୟାରଷ୍ଟ୍ରିପ୍‌ରେ ଖୁବ୍‌ ଜୋରରେ ବିସ୍ଫୋରଣ ଘଟି ଆକାଶକୁ ଧୂଆଁ ଛୁଟୁଥିବା ଦେଖିବାକୁ ମିଳିଥିଲା। ଏଥିରେ ମୃତାହତଙ୍କ ସଂଖ୍ୟା ଜଣାପଡ଼ିନାହିଁ। ଶୁକ୍ରବାର ଏହି ଅଞ୍ଚଳରେ ୧୧ ଆତଙ୍କବାଦୀଙ୍କୁ ଗାଁ ଲୋକେ ଦେଖିଥିବାରୁ ସେଠାରେ ଅଲ୍‌-ଶବାବ୍‌ ଆଡ୍ଡା କରିଥିବା କୁହାଯାଉଛି। ରବିବାର ଆକ୍ରମଣ ପାଇଁ ଅଲ୍‌-ଶବାବ୍‌ ନିଜକୁ ଦାୟୀ କରିଛି। ଆକ୍ରମଣ ଯୋଗୁ ହୋଇଥିବା କ୍ଷୟକ୍ଷତିର ଫଟୋ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରିଛି।

Share