Categories: ଖେଳ

କେନିନ୍‌ଙ୍କୁ ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ

ମେଲବୋର୍ନ,୧।୨(ଏଏଫ୍‌ପି)-୨୧ବର୍ଷୀୟା ଆମେରିକୀୟ ମହିଳା ଟେନିସ ଖେଳାଳି ସୋଫିଆ କେନିନ୍‌ ଏଥର ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ୍‌ ଓପନ୍‌ରେ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛନ୍ତି। ଶନିବାର ଅନୁଷ୍ଠିତ ମହିଳା ସିଙ୍ଗଲ୍ସ ଫାଇନାଲ ମ୍ୟାଚ୍‌ରେ ସେ ଦୁଇଥର ଗ୍ରାଣ୍ଡସ୍ଲାମ ଟାଇଟଲ ବିଜୟିନୀ ସ୍ପେନ୍‌ ଅଭିଜ୍ଞ ଖେଳାଳି ଗାର୍ବାଇନ ମୁଗୁରୁଜାଙ୍କୁ ପରସ୍ତ କରି ଟାଇଟଲ ହାସଲ କରିଛନ୍ତି। ୧୪ତମ ସିଡ୍‌ କେନିନ ୪-୬, ୬-୨, ୬-୨ ସେଟ୍‌ରେ ମୁଗୁରୁଜାଙ୍କୁ ହରାଇ କ୍ୟାରିୟରର ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଛନ୍ତି। ପ୍ରଥମ ସେଟ୍‌ରେ ପରାସ୍ତ ହୋଇଥିଲେ ମଧ୍ୟ ଦୃଢ଼ ପ୍ରତ୍ୟାବର୍ତ୍ତନ କରି ବାକି ଦୁଇଟି ସେଟ୍‌ରେ ବିଜୟୀ ହୋଇ କେନିନ ବାଜି ମାରିଛନ୍ତି। ବିଜୟୀ ହେବା ପାଇଁ କେନିନ୍‌ଙ୍କୁ ୨ ଘଣ୍ଟା ୩ ମିନିଟ ସମୟ ଆବଶ୍ୟକ ହୋଇଥିଲା। ଏଥିସହିତ ଦ୍ୱିତୀୟ ସର୍ବକନିଷ୍ଠ ଖେଳାଳିଭାବେ କେନିନ୍‌ ଗ୍ରାଣ୍ଡସ୍ଲ୍‌ାମ ଟାଇଟଲ ଜିତିବାର ଗୌରବ ଅର୍ଜନ କରିଛନ୍ତି। ପ୍ରଥମଥର ପାଇଁ ଗ୍ରାଣ୍ଡସ୍ଲାମ ଫାଇନାଲ ଖେଳିଥିଲେ ମଧ୍ୟ ଶେଷରେ ସେ ବାଜି ମାରିଛନ୍ତି।
କେନିନ ଏବେ ଡବ୍ଲ୍ୟୁଟିଏ ର଼୍ୟାଙ୍କିଙ୍ଗ୍‌ର ସପ୍ତମ ସ୍ଥାନକୁ ଉଠିବା ନିଶ୍ଚିତ ହୋଇଛି। ପୂର୍ବରୁ ଅନ୍ୟତମ ଅଭିଜ୍ଞ ଆମେରିକୀୟ ଖେଳାଳି ସେରେନା ଓ୍ବିଲିୟମ୍ସ ତୃତୀୟ ରାଉଣ୍ଡରେ ପରାସ୍ତ ହୋଇ ବିଦାୟ ନେଇଥିଲେ। ସେମିଫାଇନାଲରେ କେନିନ୍‌ ୧ ନମ୍ବର ଖେଳାଳି ଅଷ୍ଟ୍ରେଲିଆର ଆଶଲେ ବାର୍ଟିଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା।
ଶେଷରେ ସ୍ବପ୍ନ ପୂରଣ ହୋଇଛି ବୋଲି ବିଜୟ ହାସଲ ପରେ କେନିନ କହିଛନ୍ତି। ବହୁତ ଖୁସି ଅଛି ଓ ଏବେ ଭାବନା ପ୍ରକାଶ କରିପାରିବି ନାହିଁ ବୋଲି ମସ୍କୋ ଜନ୍ମିତ କେନିନ କହିଛନ୍ତି। ସ୍ବପ୍ନ ସତରେ ପରିଣତ ହୋଇଛି। ତେବେ ସଫଳତା ପାଇଁ ବଡ଼ ସ୍ବପ୍ନ ଦେଖିବାକୁ ହୁଏ ବୋଲି ସେ କହିଛନ୍ତି। ଅପରପକ୍ଷରେ ୨୬ ବର୍ଷୀୟ ଅଣସିଡ ମୁଗୁରୁଜା ଗତ ୧୮ ମାସ ହେବ ଫର୍ମରେ ନ ଥିଲେ। ମୁଗୁରୁଜା ପୂର୍ବରୁ ୨୦୧୬ ଫ୍ରେଞ୍ଚ୍‌ ଓପନ ଓ ୨୦୧୭ ଓ୍ବିମ୍ବେଲଡ଼ନ ଟାଇଟଲ ହାସଲ କରିଥିଲେ। ପରାଜୟରେ ମୁଗୁରୁଜା ଅସନ୍ତୋଷ ଜାହିର କରିଛନ୍ତି। ଫାଇନାଲରେ କେନିନ କିନ୍ତୁ ଆକ୍ରମଣାତ୍ମ ପ୍ରଦର୍ଶନ କରିଥିଲେ। ୨୧ ବର୍ଷ ୮୦ ଦିନରେ ପଦାର୍ପଣ କରିଥିବା କେନିନ୍‌ ଜାପାନର ନାଓମି ଓସାକା ଯେତେବେଳେ ଗତ ବର୍ଷ ଅଷ୍ଟ୍ରେଲିଆନ୍‌ ଓପନ ଟାଇଟଲ ଜିତିଥିଲେ ତାଙ୍କଠାରୁ ୨୨ ଦିନ ବୟସରେ ଛୋଟ ହେବେ। ରୁଷିଆର ମାରିଆ ଶାରାପୋଭାଙ୍କ ପରେ କେନିନ୍‌ ସର୍ବକନିଷ୍ଠ ଅଷ୍ଟ୍ରେଲିଆନ୍‌ ଓପନ ଚାମ୍ପିୟନ ବିବେଚିତ ହୋଇଛନ୍ତି। ଶାରାପାଭା ୨୦୦୮ରେ ମାତ୍ର ୨୦ ବର୍ଷରେ ଏହି ଟାଇଟଲ ହାସଲ କରିଥିଲେ।

Share