କେନ୍ଦୁଝରରେ କାଳବୈଶାଖୀ ବର୍ଷା ସହ ବଜ୍ରପାତ

କେନ୍ଦୁଝର, ୧୨ା୫(ଡି.ଏନ୍‌.ଏ.)-କେନ୍ଦୁଝର ସଦର ବ୍ଲକର ବିଭିନ୍ନ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ କାଳବୈଶାଖୀ ବର୍ଷା ଓ ବଜ୍ରପାତ ସାଙ୍ଗକୁ କୁଆପଥର ମାଡ ହୋଇଥିବା ଖବର ମିଳିଛି। ବଜ୍ରପାତ ଫଳରେ ରାଇସୁଆଁଠାରେ ଏକ ବିରାଟ ତେନ୍ତୁଳି ଗଛରେ ଫାଟ ସୃଷ୍ଟି ହୋଇଥିବା ଜଣାପଡିଥିବାବେଳେ ଗଛ ମୂଳରେ ଆଶ୍ରୟ ନେଇଥିବା ଏକ ଛେଳି ମୃତ୍ୟୁବରଣ କରିଥିବା ଖବର ମିଳିଛି। କାଳବୈଶାଖୀ ବର୍ଷା ଓ କୁଆପଥର ମାଡ ଫଳରେ ଖରାଟିଆ ପନିପରିବା ଫସଲ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ମଙ୍ଗଳବାର ଅପରାହ୍ନରେ ହଠାତ୍‌ ସଦର ବ୍ଲକର ରାଇସୁଆଁ, ଗୋପିନାଥପୁର ଏବଂ ଆଖପାଖ ଅଞ୍ଚଳରେ ବହୁତ ପବନ ଏବଂ ଘଡଘଡି ହୋଇଥିଲା। ପବନରେ କେତେକ ଜାଗାରେ ଗଛ ଡାଳ ଭାଙ୍ଗି ପଡିଥିବାବେଳେ ଚାଳଛପର ଘର କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଗତ କିଛିଦିନ ହେବ ଜିଲାର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ବର୍ଷା ପବନ ପ୍ରତ୍ୟହ ହେବା ଯୋଗୁ ପରିବା ଚାଷୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି। କେବଳ ପରିବା ଚାଷ ନୁହେଁ କଲମୀ ଆମ୍ବ ବଗିଚାଗୁଡିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।