କେନ୍ଦୁଝରରେ ଡବଲ ମର୍ଡର: ଅନ୍ଧବିଶ୍ୱାସରୁ ହତ୍ୟାକାଣ୍ଡ

କେନ୍ଦୁଝର,୨୦।୮(ସ୍ବ.ପ୍ର.): ଅନ୍ଧବିଶ୍ୱାସରୁ ହତ୍ୟାକାଣ୍ଡ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲାରେ। ଗୁଣିଗାରେଡ଼ି କରୁଥିବା ସନ୍ଦେହରେ କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ନୟାଗଡ଼ ମୁଣ୍ଡା ସାହିରେ ଡବଲ ମର୍ଡର ହୋଇଛି। ସଂଘବଦ୍ଧ ଭାବେ ଏହି ହତ୍ୟା କରାଯାଇଛି, ଯାହାକୁ ନେଇ ଏବେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟିହୋଇଛି। ମୃତକ ଦ୍ୱୟହେଲେ ସୁବାସ ମୁଣ୍ଡା( ୭୫, ମହିଳା) ଓ ଚୈତନ୍ୟ ମୁଣ୍ଡା( ୪୦)।
ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି। ଏହି ଘଟଣାରେ ୫ ଜଣଙ୍କ ସମ୍ପୃକ୍ତି ଥିବା ବେଳେ ୩ ଜଣଙ୍କୁ ପୋଲିସ ଧରିବାରେ ସକ୍ଷମ ହୋଇଛି। ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ ଜାରିରଖିଛି। ବୃଦ୍ଧା ସୁବାସଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଥିବା ବେଳେ ଚୈତନ୍ୟଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ମୃତକ ଦ୍ୱୟ ଗୁଣିଗାରେଡ଼ି କରୁଥିବା କାରଣରୁ ସେମାନଙ୍କୁ ହତ୍ୟା କରାଯାଇଥିବା ଅଭିଯୁକ୍ତମାନେ ପୋଲିସ ଆଗରେ ସ୍ବୀକାର କରିଥିବା ଜଣାପଡ଼ିଛି। ଡିଆଇବି ଡିିଏସ୍‌ପି ହରିଶ ପାଣ୍ଡେ କହିଛନ୍ତି, ତଦନ୍ତ ପରେ ପୂରା ଘଟଣା ଜଣାପଡିବ। ଅନ୍ୟ ଅଭିଯୁକ୍ତଙ୍କୁ ଧରାଯିବ। ଗୁଣିଗାରେଡି ରୋକିବା ପାଇଁ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହେଉଥିବା ବେଳେ କଡା ଆଇନ ବ୍ୟବସ୍ଥା ମଧ୍ୟ ରହିଛି।