କେନ୍ଦୁଝରରେ ଥମୁନି କଳା ପଲ୍‌ସର ଆତଙ୍କ: ପାଟଣାରେ ଦୁର୍ବୃତ୍ତ ଲୁଟି ନେଲେ ୧ ଲକ୍ଷ ୯୩ ହଜାର ଟଙ୍କା, ଲୁଟେରାଙ୍କ ଟେର୍‌ ପାଉନି ପୋଲିସ

ପାଟଣା,୧୧।୬(ସ୍ବ.ପ୍ର.): କେନ୍ଦୁଝର ଜିଲାର ବିଭିନ୍ନ ଅଞ୍ଚଳରେ ଥମୁନି କଳା ପଲ୍‌ସର ଆତଙ୍କ। ବିଶେଷକରି ପର୍ବ ପର୍ବାଣୀ ସମୟରେ ଲୁଟେରା ଗ୍ୟାଙ୍ଗ ସକ୍ରିୟ ହୋଇ ବିଭିନ୍ନ ଅଞ୍ଚଳରେ ଆତଙ୍କ ଖେଳାଉଛନ୍ତି। ଏହି କ୍ରମରେ ପାଟଣା ଥାନା ପାଟଣା ସାହାରପଡା ଦେଇ ଯାଇଥିବା ଜାତୀୟ ରାଜପଥ ନଂ ୨୨୦ ହଳଦୀବଟା କାଜୁ ଜଙ୍ଗଲ ନିକଟରେ ମଙ୍ଗଳବାର ଅପରାହ୍ନରେ ଜଣେ ସାଇକେଲ ଆରୋହୀ ଲୁଟ୍‌ର ଶିକାର ହୋଇଛନ୍ତି। ଲୁଟ୍‌ର ଶିକାର ହୋଇଥିବା ବ୍ୟକ୍ତି ହେଉଛନ୍ତି ସାହାରପଡା ବ୍ଲକ ଗଣ୍ଡବେଡା ପଞ୍ଚାୟତ ଲକ୍ଷ୍ମୀପଶି ଗ୍ରାମର କୃଷ୍ଣଚନ୍ଦ୍ର ମହାନ୍ତ। କୃଷ୍ଣଚନ୍ଦ୍ର ବ୍ୟାଙ୍କରୁ ୧ଲକ୍ଷ ୯୩ ହଜାର ଟଙ୍କା ଉଠାଇ ନେଇ ଯାଉଥିବା ବେଳେ ଲୁଟ୍‌ ହୋଇଛି।

କୃଷ୍ଣଚନ୍ଦ୍ର ଗାଁରେ କରିଥିବା ଏକ ଠିକାଦାରୀ କାମର ଅର୍ଥ ବଡ଼ବିଲାସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ଉଠାଇଥିଲେ। ସାଇକେଲ ଯୋଗେ ନେଇ ଗାଁକୁ ଯାଉଥିବା ବେଳେ ଉକ୍ତ ଜଙ୍ଗଲ ନିକଟରେ ଏକ କଳା ବାଇକରେ ଦୁଇଜଣ ଯୁବକ ତାଙ୍କୁ ମୁଥ ମାରି ଟଙ୍କା ଥିବା ବ୍ୟାଗ୍‌ ଛଡାଇ ନେଇ ତିଳବେଡ଼ା ଆଡ଼କୁ ଦ୍ରୁତ ଗତିରେ ଚାଲିଯାଇଥିଲେ। ଘଟଣାସ୍ଥଳରେ ଘଟଗାଁ ଏସ୍‌ଡିପିଓ ରବୀନ୍ଦ୍ର ମଲ୍ଲିକ, ପାଟଣା ଥାନା ଅଧିକାରୀ ପୁଷ୍ପାଞ୍ଜଳୀ ସାମନ୍ତରାୟ ଓ ସାହାରପଡା ଫାଣ୍ଡି ଅଧିକାରୀ ମନୋହର ମହାନ୍ତ ପହଞ୍ଚି ତନାଘନା କରିଥିଲେ ହେଁ ଲୁଟେରାଙ୍କ କୌଣସି ଟେର୍‌ ମିଳି ପାରିନାହିଁ।

ସୂଚନାଯୋଗ୍ୟ, ଲୁଟେରାମାନେ ପର୍ବ ପର୍ବାଣୀରେ ଆତଙ୍କ ଖେଳାଇବା ପରେ ପଡ଼ୋଶୀ ରାଜ୍ୟରେ ଆଶ୍ରୟ ନେଉଛନ୍ତି। ତେଣୁ ଜିଲା ପୋଲିସ ଏହି ଗ୍ୟାଙ୍ଗକୁ ଧରିବାରେ ସଫଳ ହେଉନାହିଁ ବୋଲି ଆଲୋଚନା ହେଉଛି।

Share