କେନ୍ଦୁଝରରେ ପାଣିପାଗରେ ପରିବର୍ତ୍ତନ: ଆଗଭଳି ହାଡ଼ଭଙ୍ଗା ଶୀତ ନାହିଁ

କେନ୍ଦୁଝର, ୪।୧୨ (ସ୍ବ.ପ୍ର.)-ବିଳମ୍ବରେ ହେଉ ପଛକେ କେନ୍ଦୁଝର ଜିଲାରେ ଶୀତର ଆଗମନକୁ ନେଇ ଅନେକ ଖୁସି ବ୍ୟକ୍ତ କରୁଛନ୍ତି ା ତେବେ ଏହି ସମୟରେ ଯେଉଁ ଭଳି ଶୀତ ହେବା କଥା ସେଭଳି ଶୀତ ହେଉ ନ ଥିବାରୁ ଉଦ୍‌ବେଗ ପ୍ରକାଶ ପାଉଛି। ଏକଦା ପ୍ରାକୃତିକ ସୌନ୍ଦର୍ଯ୍ୟମୟ ପର୍ଯ୍ୟଟନ କେନ୍ଦ୍ର ସାଙ୍ଗକୁ ଶୀତୁଆ ପରିବେଶ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିଲା। ଏବେ ବ୍ୟାପକ ଜଙ୍ଗଲ ଓ ପରିବେଶ ନଷ୍ଟ ଓ ବୃଦ୍ଧି ପାଉଥିବା ପ୍ରଦୂଷଣ ଯୋଗୁ ଜଳବାୟୁରେ ବ୍ୟାପକ ପରିବର୍ତ୍ତନ ଦେଖିବାକୁ ମିଳୁଛି ା ଫଳରେ ଜିଲାର ପୁରୁଣା ସ୍ଥିତି ହରାଇ ବସୁଥିବାରୁ ପରିବେଶବିତ୍‌ ତଥା ପ୍ରକୃତିପ୍ରେମୀମାନେ ଚିନ୍ତିତ। ଯେଉଁ ସମୟରେ ତାପମାତ୍ର ପାଖାପାଖି ୧୦ ଡିଗ୍ରୀ ସେଣ୍ଟିଗ୍ରେଡ ରହିବା କଥା ସେହି ସମୟରେ ତାପମାତ୍ର ୧୫ ଡିଗ୍ରୀ ରହୁଥିବାରୁ ଆଗଭଳି ଥଣ୍ଡା ଅନୁଭୂତ ହେଉନାହିଁ ା ରାସ୍ତାଘାଟରେ କାଁ ଭାଁ ନିଆଁ ଜାଳି ନିଆଁ ପୋଇଁବା ଦୃଶ୍ୟ ଦେଖିବାକୁ ମିଳୁଛି ା ଚଳିତ ବର୍ଷର ସର୍ବନିମ୍ନ ତାପମାତ୍ର ୧୩.୮ ଡିଗ୍ରୀ ସେଣ୍ଟିଗ୍ରେଡ କିଛି ଦିନ ତଳେ ଦେଖିବାକୁ ମିଳିଥିଲା ା ତେବେ ଏହା ବୃଦ୍ଧି ପାଇ ଗତ ତିନି ଦିନ ହେଲା କେନ୍ଦୁଝରର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ସେଣ୍ଟିିଗ୍ରେଡ ରହୁଥିବା ଜଣାପଡିଛି ା ଭୋର ଓ ରାତିରେ ବିଶେଷ କରି ଗ୍ରାମାଞ୍ଚଳ ଓ ପାହାଡିଆ ଅଞ୍ଚଳରେ ଶୀତର ପ୍ରକୋପ ଅଧିକ ଅନୁଭୂତ ହେଉଛି। ଲଘୁଚାପ ଜନିତ ବର୍ଷା ହେଲେ ଏହାର ପ୍ରକୋପ ସାମାନ୍ୟ ଅଧିକ ଅନୁଭୂତ ହୋଇଥାଏ ା ଶୀତର ପ୍ରକୋପ ଅଧିକ ହେଲେ କାଞ୍ଜିପାଣି, ତରମାକାନ୍ତ, ଯୋଡା, କିରିବୁରୁ ଆଦି ଅଞ୍ଚଳରେ ପୂର୍ବରୁ ତୁଷାରପାତ ପଡେ। କିନ୍ତୁ ଗତ କିଛି ବର୍ଷ ହେଲା ତୁଷାରପାତ ଦେଖିବାକୁ ମିଳୁନାହିଁ। କେବଳ ଘାସପତ୍ର ଉପରେ କୁହୁଡିର ଆସ୍ତରଣ ପଡି ତୁଷାରପାତର ଭ୍ରମ ସୃଷ୍ଟି କରିଥାଏ ା ଏହି ସମୟରେ ତାପମାତ୍ରା ବହୁ ଆଗରୁ ୧୦ ଡିଗ୍ରୀ ତଳକୁ ଖସିଯାଏ। ଗତ ୨୦ ବର୍ଷ ହେଲା କେନ୍ଦୁଝର ଜିଲାର ହାଡଥରା ଶୀତ ଆଉ ଦେଖିବାକୁ ମିଳୁନାହିଁ ା ସେପ୍ଟେମ୍ବର ମାସର ଶେଷ ସପ୍ତାହରୁ ଏହି ଶୀତ ପଡୁଥିଲା ଏବଂ ମାର୍ଚ୍ଚ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଶୀତ ଅନୁଭୂତ ହେଉଥିଲା ା କିନ୍ତୁ ଏବେ ନଭେମ୍ବର ମାସ ଶେଷ ସପ୍ତାହରୁ ଶୀତ ଆରମ୍ଭ ହୋଇ ଫେବୃୟାରୀ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଅନୁଭୂତ ହେଉଛି ବୋଲି କହିଛନ୍ତି ପରିବେଶବିତ୍‌ ତଥା ବରିଷ୍ଠ ନାଗରିକ ଡକ୍ଟର ବିମ୍ବାଧର ବେହେରା ା ବହୁ ବର୍ଷ ଆଗରୁ ଜିଲାର ଶୀତ ପରିବେଶ ବର୍ଷ ତମାମ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ ା କିନ୍ତୁ ଏବେ ଧୂଳିଧୂସର ପରିବେଶ, ବହୁ ସଂଖ୍ୟାରେ ଲୁହାପଥର ବୋଝେଇ ଟ୍ରକ, ଟିପ୍ପର ଆଦି ଗାଡି ଚଳାଚଳ, ପରିବର୍ତ୍ତିତ ଜଳବାୟୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରୁନାହିଁ ା

Share