କେନ୍ଦୁଝରରେ ୨ବର୍ଷର ରେକର୍ଡ ଭାଙ୍ଗିଲା ଶୀତ

କେନ୍ଦୁଝର,୨୮।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ବର୍ଷା ସାଙ୍ଗକୁ କୋହଲା ପାଗ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଚଳିତବର୍ଷ ସର୍ବନିମ୍ନ ତାପମାତ୍ରା ୫.୬ ଡିଗ୍ରୀ ରେକର୍ଡ କରାଯାଇଛି, ଯାହାକି ଗତ ଦୁଇ ବର୍ଷରେ ଦେଖିବାକୁ ମିଳି ନ ଥିଲା। ତେବେ କାଞ୍ଜିପାଣି, ତରମାକାନ୍ତ, କିରିବୁରୁ ତଥା ଅନ୍ୟାନ୍ୟ ଜଙ୍ଗଲ ପାହାଡ ଘେରା ଆଦିବାସୀ ଅଞ୍ଚଳରେ ତାପମାତ୍ରା ପାଖାପାଖି ୩ ଡିଗ୍ରୀକୁ ଖସିଯାଇଥିବା ଜଣାପଡ଼ିଛି। ବିଭିନ୍ନ ସ୍ଥାନରେ ଘାସ, ଗଛ ପତ୍ର, ଘର, ଗାଡି ଆଦି ଉପରେ ସକାଳୁ କୁହୁଡିର ଆସ୍ତରଣ ଏକପ୍ରକାର ତୁଷାରପାତର ଭ୍ରମ ସୃଷ୍ଟି କରିଛି। ଆଦିବାସୀ ଓ ଅନ୍ୟ ଗରିବଶ୍ରେଣୀର ଲୋକମାନେ ପ୍ରବଳ ଶୀତ ଯୋଗୁ ବହୁ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଶୀତ ଦାଉରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ସ୍ଥାନରେ ନିଆଁ ଜଳାଉଥିବା ଦେଖାଯାଇଛି। କୁହୁଡ଼ିଆ ପାଗ ଯୋଗୁଁ ରାତିରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଅପରପକ୍ଷେ ପର୍ଯ୍ୟଟକମାନେ ଉକ୍ତ ସ୍ଥାନଗୁଡ଼ିକୁ ପରିଭ୍ରମଣ କରି ଥଣ୍ଡା ପରିବେଶର ମଜା ଉଠାଇଛନ୍ତି।

Share