କେନ୍ଦୁଝର ଜିଲା ଚିଠି: ରାସ୍ତାଘାଟ ପାଲଟିଛି ମୃତ୍ୟୁପଥ ; ପ୍ରତିବର୍ଷ ୨୫୦ ଜଣଙ୍କ ମୃତ୍ୟୁ ଘଟୁଛି

କେନ୍ଦୁଝର ଜିଲାରେ ମୂଲ୍ୟବାନ ଖଣିଜ ସମ୍ପଦ ଭରି ରହିଛି। ସେଥିପାଇଁ ଏହି ଜିଲାକୁ ଧନଶାଳୀ ଜିଲା ଭାବେ ମାନ୍ୟତା ମିଳିଛି। ଏହା ପରେ ବି ଜିଲାର ବିଭିନ୍ନ ରାସ୍ତାଘାଟ ମୃତ୍ୟୁପଥ ପାଲଟିଛି। ଅର୍ଥର ଅଭାବ ନ ଥିଲେ ହେଁ ଭଙ୍ଗାଦଦରା ଅବସ୍ଥାରେ ଥିବା ଏହି ରାସ୍ତା ଦୁର୍ଘଟଣାର କାରଣ ସାଜିଛି। ପ୍ରତିବର୍ଷ ଦୁର୍ଘଟଣାରେ ପ୍ରାୟ ୨୫୦ ଜଣ ଲୋକଙ୍କ ମୃତ୍ୟୁ ଘଟୁଥିବା ବେଳେ ବହୁ ଲୋକ ଆହତ ହୋଇ ଭିନ୍ନକ୍ଷମ ଜୀବନ କାଟୁଛନ୍ତି। ଯାହାକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସୁପ୍ରିମକୋର୍ଟଙ୍କ ଉଦ୍‌ବେଗ ପରେ ଦୁର୍ଘଟଣା ରୋକିବା ସହ ଧନଜୀବନର ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏଥିପାଇଁ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ସହ ହେଲ୍‌ମେଟ ଚେକିଂ ଓ ଦ୍ରୁତଗତିରେ ଗାଡ଼ି ଚଳାଚଳ ଉପରେ କଟକଣା ଜାରି କରାଯାଇଛି। କିନ୍ତୁ ଦୁର୍ଘଟଣାର ମୁଖ୍ୟ କାରଣ ସାଜିଥିବା ଭଙ୍ଗାଦଦରା ରାସ୍ତାର ମରାମତି ବା ପୁନଃ ନିର୍ମାଣ କରାଯାଉନାହିଁ। ଯାହା ଜିଲାର ପ୍ରଗତିରେ ବାଧକ ସାଜିଥିବା ଅଭିଯୋଗ ହୋଇଛି। ଜିଲାର ପ୍ରମୁଖ ରାସ୍ତା ମଧ୍ୟରୁ ପାଣିକୋଇଲି-ରିମୁଳି ୨୦ ନଂ.ଜାତୀୟ ରାଜପଥ, ରିମୁଳି-କୋଇଡା ୫୨୦ନଂ.ଜାତୀୟ ରାଜପଥ, କଲିକତା-ମୁମ୍ବାଇ ୪୯ନଂ. ଜାତୀୟ ରାଜପଥ ଅନ୍ୟତମ। ଏଥିସହ ପଳାଶପଙ୍ଗା-ବାମେବାରୀ, ଭଦ୍ରାସାହି-ନାଲଦା, ବାମେବାରୀ-ଯୋଡା ଆଦି ରାସ୍ତା ଖଣିଖାଦାନକୁ ସଂଯୋଗ କରିଛି। କେନ୍ଦୁଝରରୁ ପାରାଦୀପକୁ ସଂଯୋଗ କରୁଥିବା ନରଣପୁର-ଡୁବୁରି ରାସ୍ତା ଏକ ବ୍ୟସ୍ତବହୁଳ ରାସ୍ତା ବୋଲି ବିବେଚନା କରାଯାଉଛି। ଏହି ସବୁ ରାସ୍ତାରେ ପ୍ରତିଦିନ ଶତାଧିକ ଖଣିଜପଥର ବୋଝେଇ ଟ୍ରକ, ଟ୍ରଲର ଓ ମାଲବାହୀ ଯାନବାହନ ଚଳାଚଳ କରୁଛି। ତଥାପି ଉପରୋକ୍ତ ରାସ୍ତା ମରାମତି କରାଯାଉ ନାହିଁ। ଆଶ୍ଚର୍ଯ୍ୟର କଥା ୨୦ନଂ. ଜାତୀୟ ରାଜପଥ ମରାମତି କରା ନ ଯାଇ ବିଭିନ୍ନ ସ୍ଥାନରେ ଟୋଲ ଆଦାୟ କରାଯାଉଛି। ସେହିପରି ଦୀର୍ଘବର୍ଷ ହେଲା ଯୋଡା ଓ ବଡବିଲ ଖଣି ଅଞ୍ଚଳକୁ ସଂଯୋଗ କରୁଥିବା ୫୨୦ନଂ.ଜାତୀୟ ରାଜପଥ କାମ ଶେଷ ହୋଇପାରୁନାହିଁ। ଫଳରେ ଟ୍ରାଫିକ ଅବ୍ୟବସ୍ଥା ନିତିଦିନିଆ ଘଟଣାରେ ପରିଣତ ହୋଇଛି। ବାଇପାସ ନିର୍ମାଣ ହୋଇପାରୁ ନ ଥିବାରୁ ଖଣିଖାଦାନ ବହୁଳ ଭଦ୍ରାସାହି-ବଡବିଲ-ନାଲଦା ରାସ୍ତା ଶୋଚନୀୟ ହୋଇପଡିଛି। ବଡବିଲ-ବଲାଣୀ-କିରିବୁରୁ ରାସ୍ତା ଏବଂ ରଣାଶାଳ ଘାଟି-ଜୁରୁଡି-ବାମେବାରୀ ଏବଂ ବାମେବାରୀ-ପଳାଶପଙ୍ଗା କିଡକୋ ରାସ୍ତା, ଦୁବୁନା-କାଳିମାଟି, ଶୁଆକାଟି-ଫୁଲଝର-ଜଗଦଳା (ଦୁବୁନା) ଆଦି ଖଣି ପ୍ରଭାବିତ ଅଞ୍ଚଳ ରାସ୍ତା ବହୁ ବର୍ଷ ଧରି ଅବହେଳିତ ଅବସ୍ଥାରେ ରହିଛି। ରାସ୍ତା ନିର୍ମାଣ ଓ ମରାମତି ବାବଦରେ ବିଭାଗ ବହୁ କୋଟି ଟଙ୍କା ଖର୍ଚ୍ଚ କରୁଥିବା କହୁଛି। ହେଲେ କାମର ମାନ ଠିକ୍‌ ରହୁ ନ ଥିବାରୁ ସ୍ଥିତି ଯଥା ପୂର୍ବଂ ତଥା ପରହେଉଛି। ଏଣେ କେନ୍ଦୁଝର ଜିଲା ଦେଇ ଯାଇଥିବା କଲିକତା-ମୁମ୍ବାଇ ୪୯ ନଂ.ଜାତୀୟ ରାଜପଥ କାମ ଚାଲିଥିବାରୁ ଯାତାୟାତରେ ନାହିଁ ନ ଥିବା ସମସ୍ୟା ଉପୁଜୁଛି।

– ନରେଶ ଚନ୍ଦ୍ର ପଟ୍ଟନାୟକ

Share