କେନ୍ଦୁଝର ପୌରାଞ୍ଚଳରେ କରୋନା କଟକଣାକୁ ଫୁ’: ହିତାଧିକାରୀଙ୍କୁ ସହାୟତା ରାଶି ବଣ୍ଟନ ବେଳେ ରହୁନି ସାମାଜିକ ଦୂରତ୍ୱ

କେନ୍ଦୁଝର, ୧୧।୪(ସ୍ବ.ପ୍ର.): କରୋନା ସହାୟତା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ରାସନ କାର୍ଡଧାରୀଙ୍କୁ ଏକ ହଜାର ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ ପାଇଁ ଘୋଷଣା କରାଯାଇଛି। ଏ ନେଇ କେନ୍ଦୁଝର ପୌରାଞ୍ଚଳର ବିଭିନ୍ନ ୱାର୍ଡରେ ସହାୟତା ରାଶି ବଣ୍ଟନ ଚାଲିଛି। ତେବେ ଏହି ସମୟରେ କଟକଣା ଅଭାବରୁ ଲୋକଙ୍କ ପ୍ରବଳ ଭିଡ଼ ଜମୁଥିବା ଦେଖିବାକୁ ମିଳୁଛି। ଏହି ରାଶି ପ୍ରଦାନ ସମୟରେ ଶନିବାର କେନ୍ଦୁଝର ଜିଲା ମୋଚିବନ୍ଧ ସ୍କୁଲରେ ପ୍ରବଳ ଭିଡ଼ ଜମିଥିଲା। ଗୋଟିଏ ସ୍ଥାନରେ ଏକାଧିକ ୱାର୍ଡର ହିତାଧିକାରୀଙ୍କ ସହାୟତା ରାଶି ଏକ ସମୟରେ ବଣ୍ଟନ କରାଯାଉଥିବା ଓ ଦୂରତ୍ୱ ରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ଏଭଳି ଭିଡ଼ ଜମୁଥିବା ଅଭିଯୋଗ ହେଉଛି। ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବଣ୍ଟନ ବନ୍ଦ କରିବା ସହ ଘରେ ଘରେ ସହାୟତା ରାଶି ପ୍ରଦାନ ପାଇଁ କହିବାରୁ ହିତାଧିକାରୀ ଫେରିଯାଇଥିବା ଜଣାପଡ଼ିଛି।