କେନ୍ଦୁପତ୍ର କର୍ମଚାରୀ ସଂଘର ଧାରଣା

ଫୁଲବାଣୀ ଅଫିସ/ ଫିରିଙ୍ଗିଆ,୩ା୩ କେନ୍ଦୁପତ୍ର ତୋଳାଳି, ଶ୍ରମିକ ଓ ସାମୟିକ କର୍ମଚାରୀଙ୍କ ୭ ଦଫା ଦାବି ନେଇ କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ସୋମବାରଠାରୁ ୨ଦିନିଆ ଧାରଣା ଆରମ୍ଭ ହୋଇଛି। ରାଜ୍ୟର ବିଭିନ୍ନ କେନ୍ଦୁପତ୍ର ରେଞ୍ଜ ସମ୍ମୁଖରେ ଏହି ଧାରଣା ଦିଆଯାଇଛି। ଫୁଲବାଣୀ ଡିଭିଜନ ଅଧୀନରେ ଥିବା ୭ ରେଞ୍ଜ ଫୁଲବାଣୀ, ଗୋଛାପଡା ପୂର୍ବ, ଗୋଛାପଡ଼ା ପଶ୍ଚିମ, ବାଲିଗୁଡା, ତୁମୁଡିବନ୍ଧ, ଦଶପଲ୍ଲା, ଭଞ୍ଜନଗର ଅଫିସ ସମ୍ମୁଖରେ ସଂଘର ଡିଭିଜନ ସମ୍ପାଦକ ସରୋଜ କର୍ଣ୍ଣଙ୍କ ନେତୃତ୍ୱରେ ଧାରଣା ଚାଲିଛି। ଏଥିସହ ଏକ ଦାବିପତ୍ର ପ୍ରଧାନ ମୁଖ୍ୟ ବନ ସଂରକ୍ଷକଙ୍କ ଉଦ୍ଦେଶ୍ୟରେ ଫୁଲବାଣୀ କେନ୍ଦୁପତ୍ର ଡିଭିଜନର ବନଖଣ୍ଡ ଅଧୀକାରୀଙ୍କୁ ପ୍ରଦାନ କରାଯାଇଛି। ସିଜିନାଲ କର୍ମଚାରୀମାନଙ୍କ ଦରମା ହ୍ରାସ କରାଯାଇ ସେମାନଙ୍କୁ ଦିନ ମଜୁରିଆ ଭାବେ ପରିଗଣିତ କରିବା ନିଷ୍ପତ୍ତି ପ୍ରତ୍ୟାହାର ସହ ପ୍ରଧାନ ବନ ସଂରକ୍ଷକ ନଭେମ୍ବର ୧୪ରେ ଦେଇଥିବା ପ୍ରସ୍ତାବକୁ ୨୦୧୯ ମସିହାରୁ କାର୍ଯ୍ୟକାରୀ କରିବା, ୨୦ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି କାମ କରୁଥିବା ଚପରାଶିମାନଙ୍କୁ ୨୦ କୁଇଣ୍ଟାଲ ପତ୍ର ଆଦାୟ ହେଉ ନ ଥିବା ଆଳରେ ଉଚ୍ଛେଦକୁ ବନ୍ଦ କରିବା, କେନ୍ଦୁପତ୍ର ଉପରୁ ଜିଏସଟି ସମ୍ପୂର୍ଣ୍ଣ ଛାଡ କରିବା ସହ ବିକ୍ରୟ ନୀତିକୁ ସଂଶୋଧନ କରିବା ଆଦି ଦାବି ଉଲ୍ଲେଖ କରାଯାଇଛି। ଦାବି ପୂରଣ ପ୍ରତି ସରକାର ଟାଳଟୁଳ ନୀତି ଗ୍ରହଣ କଲେ ଆଗାମୀ ଦିନରେ ସଂଘ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି। ଫୁଲବାଣୀ ଡିଭିଜନ ଅଫିସ ସମ୍ମୁଖରେ ସଂଘର ସମ୍ପାଦକ କର୍ଣ୍ଣଙ୍କ ସମେତ ଯୁଗ୍ମ ସମ୍ପାଦକ ଉପେନ୍ଦ୍ର କୁମାର ସାମଲ, କୋଷାଧ୍ୟକ୍ଷ ଲକ୍ଷ୍ମଣ କୁମାର ସାହୁ ପ୍ରମୁଖ ବହୁ ସଦସ୍ୟ ଧାରଣା ଦେଇଥିଲେ। ସେହିପରି ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ଗୋଛାପଡା ରେଞ୍ଜ ଅଫିସ ସମ୍ମୁଖରେ ସଂଗଠନ ଆବାହକ କେଦାରନାଥ ଦଳବେହେରା, ସମ୍ପାଦକ ଦଶମୂଳ ମିଶ୍ର, ରବୀନ୍ଦ୍ର ବାରିକ, ଭିକାରୀ ଚରଣ ନାୟକ ପ୍ରମୁଖ ଧାରଣା ଦେଇଥିଲେ।

Share