କେନ୍ଦୁପତ୍ର କେରି ଦାମ୍‌ ବଢ଼ାଇଲେ ସରକାର: ଉପକୃତ ହେବେ ୮ ଲକ୍ଷ ୩୫ ହଜାର ବନ୍ଧାଳି, ତୋଳାଳି

ଭୁବନେଶ୍ୱର,୩୧। ୫(ବ୍ୟୁରୋ): ଲକ୍‌ଡାଉନ୍‌ ଯୋଗୁ ଆର୍ଥିକ ଦୁଃସ୍ଥିତିରେ ଥିବା କେନ୍ଦୁପତ୍ର ତୋଳାଳି, ବନ୍ଧାଳି ଏବଂ ସାମୟିକ କର୍ମଚାରୀଙ୍କୁ ରାଜ୍ୟ ସରକାର ସହାୟତା ପ୍ରଦାନ କରିବେ। ରାଜ୍ୟରେ କାର୍ଯ୍ୟରତ ୮ ଲକ୍ଷ ୩୫ ହଜାର କେନ୍ଦୁପତ୍ର ତୋଳାଳି, ବନ୍ଧାଳି ଓ ସାମୟିକ କର୍ମଚାରୀଙ୍କ ପାଇଁ ୮୭.୫୦କୋଟି ଟଙ୍କାର ଆଥିର୍କ ସହାୟତାକୁ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ସେଥିରେ ପ୍ରାୟ ୮ ଲକ୍ଷ କେନ୍ଦୁପତ୍ର ତୋଳାଳି, ୧୭,୫୦୦ ବନ୍ଧାଳି ଏବଂ ୧୭,୫୦୦ ସାମୟିକ କର୍ମଚାରୀ ଉପକୃତ ହେବେ। ସେମାନଙ୍କ ମଧ୍ୟରେ ଥିବା ଅଧିକାଂଶ ମହିଳା ଏବଂ ଅତ୍ୟନ୍ତ ଗରିବ ଶ୍ରେଣୀର କର୍ମଚାରୀଙ୍କୁ ଏହି ଆର୍ଥିକ ସହାୟତା ମିଳିବ।

ସରକାର କେନ୍ଦୁପତ୍ର ତୋଳାଳିଙ୍କ ପାଇଁ କେନ୍ଦୁପତ୍ର କ୍ରୟ ମୂଲ୍ୟକୁ ଶତକଡ଼ା ୨୦ ଭାଗ ବୃଦ୍ଧି କରିଛନ୍ତି। ୨୦୨୦ରେ ପ୍ରୋସେସ୍‌ ଅଞ୍ଚଳ ପାଇଁ ଏକ କେରି (୨୦ଟି) ପତ୍ରର ମୂଲ୍ୟ ୧ ଟଙ୍କାରୁ ୧ ଟଙ୍କା ୨୦ ପଇସାକୁ ବୃଦ୍ଧି କରାଯାଇଥିବାବେଳେ ଫାଇ ଅଞ୍ଚଳରେ ଏକ କେରି (୪୦ଟି ପତ୍ର)ର ମୂଲ୍ୟ ୨ ଟଙ୍କାରୁ ୨ଟଙ୍କା ୪୦ ପଇସାକୁ ବୃଦ୍ଧି କରାଯାଇଛି। ଏହାଦ୍ୱାରା ୮ ଲକ୍ଷ କେନ୍ଦୁପତ୍ର ତୋଳାଳି ପ୍ରାୟ ୩୨ କୋଟି ଟଙ୍କା ଅଧିକ ପାଇବେ। ଏହା ଛଡା ୨୦୧୯ରେ ୭ ଲକ୍ଷ ୮୯ ହଜାର କେନ୍ଦୁପତ୍ର ତୋଳାଳି କେନ୍ଦୁପତ୍ର କିଣା ଉପରେ ଶତକଡା ୨୫ ଭାଗ ବୋନସ ପାଇବେ। ଏହାର ମୂଲ୍ୟ ପ୍ରାୟ ୨୭ କୋଟି ୧୫ ଲକ୍ଷ ଟଙ୍କା ହେବ। ସେହିପରି ୧୭,୩୪୫ କେନ୍ଦୁପତ୍ର ବନ୍ଧାଳିଙ୍କୁ ସେମାନଙ୍କ ମଜୁରିର ଶତକଡା ୫ ଭାଗ ଅତିରିକ୍ତ ପ୍ରୋତ୍ସାହନ ରାଶି ଦିଆଯିବ, ଯାହାର ମୂଲ୍ୟ ୧ କୋଟି ୨୬ ଲକ୍ଷ ଟଙ୍କା। ୧୭ ହଜାର ୪୪୪ ସାମୟିକ କେନ୍ଦୁପତ୍ର କର୍ମଚାରୀମାନଙ୍କୁ ପ୍ରାପ୍ୟ ମୂଲ୍ୟର ଶତକଡା ୫ ଭାଗ ହାରରେ ୨ କୋଟି ୮୨ ଲକ୍ଷ ଟଙ୍କାର ପ୍ରୋତ୍ସାହନ ମିଳିବ। ପ୍ରତ୍ୟେକ ତୋଳାଳିଙ୍କୁ ପାଣିବୋତଲ କିଣିବା ପାଇଁ ୨ ଶହ ଟଙ୍କା ଦିଆଯିବ। ଏହି ବାବଦରେ ୧୫ କୋଟି ୭୭ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ହିତାଧିକାରୀଙ୍କୁ ବ୍ୟାଙ୍କ ଜରିଆରେ ଜମାଖାତାରେ ଟଙ୍କା ପଇଠ କରାଯିବ। ସୂଚନାଯୋଗ୍ୟ, ୨୦୨୦ ମାର୍ଚ୍ଚ ଏବଂ ଏପ୍ରିଲରେ ରାଜ୍ୟରେ କେନ୍ଦୁପତ୍ର କାର୍ଯ୍ୟକ୍ରମ ଯୋଗୁ ୧୦ ଲକ୍ଷ ଶ୍ରମଦିବସ ସୃଷ୍ଟି କରାଯାଇପାରିଛି। ସାମୟିକ କେନ୍ଦୁପତ୍ର କର୍ମଚାରୀଙ୍କ ଗ୍ରାଚ୍ୟୁଟିକୁ ଛାଡି ସେମାନଙ୍କ ଇପିଏଫ୍‌ ଦେୟ ବାବଦରେ ଅଧିକ ୮ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।

Share