କେନ୍ଦୁ ଖାଇବାକୁ ଯାଇ ଗଛରୁ ପଡ଼ି ନାବାଳକଙ୍କ ଜୀବନ ଗଲା: ସରକାରୀ ସହାୟତା ଦାବି

ଲୋଇସିଂହା, ୩।୪(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ଝରଣୀପାଲି ଗ୍ରାମର ଜନୈକ ନାବାଳକ କେନ୍ଦୁ ଖାଇବାକୁ ଯାଇ ଗଛରୁ ପଡ଼ି ଗୁରୁବାର ମୃତ୍ୟୁ ଘଟିଛି। ସେ ହେଲେ ହରିଜନ ବସ୍ତିର ରାଜା ନାଗ।
ପ୍ରକାଶ ଯେ, ଗୁରୁବାର ସକାଳେ ରାଜା ସାନଭାଇ ରାଜେଶଙ୍କ ସହ ଘରେ ଖେଳୁଥିଲେ। କିଛି ସମୟ ପରେ ଘରେ କାହାକୁ କିଛି ନ ଜଣାଇ କେନ୍ଦୁ ଖାଇବାକୁ ନିକଟସ୍ଥ ଗଛ ପାଖକୁ ଯାଇଥିଲେ। ରାଜା କେନ୍ଦୁ ଗଛରେ ଚଢ଼ିଥିବା ବେଳେ ତଳକୁ ଖସିପଡ଼ିଥିଲେ। ଏହା ଜାଣିବା ପରେ ପରିବାର ଲେକେ ତାଙ୍କୁ ଗୁରୁତର ଅବସ୍ଥାରେ ଲୋଇସିଂହା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ମୃତଦେହ ଜବତକରି ବ୍ୟବଚ୍ଛେଦ ପାଇଁ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା (ନଂ. ୩।୨୦) ରୁଜୁ କରିଥିବା ଆଇଆଇସି ଲଲିତା ଲାକ୍ରା କହିଛନ୍ତି।
ରାଜାଙ୍କ ପରିବାରକୁ ପଞ୍ଚାୟତ ତରଫରୁ ୨ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଅନ୍ୟାନ୍ୟ ସରକାରୀ ସହାୟତା ଜିଲା ପ୍ରଶାସନ ପକ୍ଷରୁ ଯୋଗାଇଦେବାକୁ ସରପଞ୍ଚ ସୁଜିତ ସାହୁ ଓ ଗ୍ରାମବାସୀ ଦାବି କରିଛନ୍ତି।

Share