Categories: ଜାତୀୟ

କେନ୍ଦ୍ରକୁ ଘେରିଲା କଂଗ୍ରେସ

ନୂଆଦିଲ୍ଲୀ,୨୪ା୬: ଚାଇନାର ଅନୁପ୍ରବେଶକୁ ଅସ୍ବୀକାର କରିବା ମୋଦି ସରକାର ସୀମା ସ୍ଥିତିକୁ ଅତି ଖରାପ ଭାବେ ପରିଚାଳନା କରିଛନ୍ତି ବୋଲି କଂଗ୍ରେସ ଓ୍ବାର୍କିଂ କମିଟି (ସିଡବ୍ଲ୍ୟୁସି) ବୈଠକରେ ସମାଲୋଚନା କରାଯାଇଛି। ଏହି ଭର୍ଚୁଆଲ ବୈଠକରେ ଅଧ୍ୟକ୍ଷତା କରି କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀ ବିଭିନ୍ନ ପ୍ରସଙ୍ଗରେ ମୋଦି ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରାଇଛନ୍ତି।
ସୋନିଆ କହିଛନ୍ତି, ଭାରତରେ ଘୋର ଆର୍ଥିକ ସଙ୍କଟ ଲାଗିରହିଥିବାବେଳେ ମହାମାରୀ କରୋନା ସ୍ଥିତିକୁ ଅଧିକ ସଙ୍ଗିନ କରିଛି। ଏଭଳି ସମୟରେ ଚାଇନା ସହ ସୀମା ବିବାଦ ଏବଂ ଦେଶର ସୁରକ୍ଷା ଓ କ୍ଷେତ୍ରୀୟ ଅଖଣ୍ଡତାକୁ ନେଇ ବିପଦ ଦେଖାଦେଇଛି। ଏହାର ମୁକାବିଲା ପାଇଁ ମୋଦି ସରକାରଙ୍କ କାର୍ଯ୍ୟରେ ପରିପକ୍ୱ କୂଟନୀତି ଓ ନିର୍ଣ୍ଣାୟକ ନେତୃତ୍ୱ ଦେଖିବାକୁ ମିଳୁନାହିଁ। ଲଦାଖରେ ଭାରତୀୟ ଭୂଖଣ୍ଡକୁ କେହି ଅନୁପ୍ରବେଶ କରିନାହାନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ଯାହାକି ସମ୍ପୂର୍ଣ୍ଣ ଭାବେ ଭୁଲ୍‌। ସେହିପରି କୋଭିଡ୍‌-୧୯ ପରିଚାଳନାରେ କେନ୍ଦ୍ର ବିଫଳ ହୋଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କହିଛନ୍ତି, ମହାମାରୀର ମୁକାବିଲା ପାଇଁ ଯେପରି ଭାବେ ଉଦ୍ୟମ ହେବା କଥା ସେପରି ହେଉନାହିଁ। ସୀମା ବିବାଦକୁ ମଧ୍ୟ ଉଚିତ ଢଙ୍ଗରେ ପରିଚାଳନା କରାଯାଇ ନାହିଁ। ବୈଠକକୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ କହିଛନ୍ତି, ମୋଦି ସରକାରଙ୍କ ଅଧୀନରେ ଭାରତର ବୈଦେଶିକ ନୀତି ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛି। କୂଟନୀତିର ପ୍ରତିଷ୍ଠିତ ସଂସ୍ଥାଗତ ଢାଞ୍ଚାକୁ ପ୍ରଧାନମନ୍ତ୍ରୀ ଧ୍ୱଂସ କରିଦେଇଛନ୍ତି। ଆମେରିକା ଓ ଅନ୍ୟ ରାଷ୍ଟ୍ରଗୁଡ଼ିକ ସହ ଭାରତ ସୁସମ୍ପର୍କ ପ୍ରତିଷ୍ଠା କରୁ। ଏହାସହ ପୁରୁଣା ବନ୍ଧୁରାଷ୍ଟ୍ରଗୁଡ଼ିକ ସହିତ ମଧ୍ୟ ସମ୍ପର୍କକୁ ବଜାୟ ରଖିବା ଜରୁରୀ।

Share