Categories: ଜାତୀୟ

କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୧ା୯(ପି.ଟି.): ଜାତିଗତ ପକ୍ଷପାତିତାରୁ ବିଶ୍ୱବିଦ୍ୟାଳୟ ଛାତ୍ର ରୋହିତ ଭେମୁଲା ଓ ପାୟଲ ତଡ୍‌ଭି ଆତ୍ମହତ୍ୟା କରିଥିବା ସେମାନଙ୍କ ମାଆ ଅଭିଯୋଗ କରିଛନ୍ତି। ଦେଶର ବିଶ୍ୱବିଦ୍ୟାଳୟ ଓ ଅନ୍ୟ ଉଚ୍ଚଶିକ୍ଷାନୁଷ୍ଠାନଗୁଡିକରୁ ଜାତିଗତ ପକ୍ଷପାତିତାର ଅନ୍ତ ଘଟାଇବା ପାଇଁ ସେମାନେ ପିଟିଶନ୍‌ରେ ସର୍ବୋଚ୍ଚ ଅଦାଲତଙ୍କୁ ଅନୁରୋଧ କରିଛନ୍ତି। ଏନେଇ ଜଷ୍ଟିସ୍‌ ଏନ.ଭି. ରମାନା ଏବଂ ଅଜୟ ରାସ୍ତୋଗୀ’ଙ୍କ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରି ୪ ସପ୍ତାହ ମଧ୍ୟରେ ଜବାବ ମାଗିଛନ୍ତି।
ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପିଏଚ୍‌ଡି ଛାତ୍ର ରୋହିତ ଜାତିଗତ ଭେଦଭାବକୁ ନେଇ ୨୦୧୬ ଜାନୁୟାରୀ ୧୭ରେ ଆତ୍ମହତ୍ୟା କରିଥିଲେ। ସେହିବର୍ଷ ମେ ୨୨ରେ ଅନୁରୂପ କାରଣରୁ ଟିଏନ୍‌ ଟୋପିଓ୍ବାଲା ନ୍ୟାଶନାଲ ମେଡିକାଲ କଲେଜର ଆଦିବାସୀ ଛାତ୍ରୀ ପାୟଲ ଆତ୍ମହତ୍ୟା କରିଥିଲେ। ଉକ୍ତ ଶିକ୍ଷାନୁଷ୍ଠାନରେ ୟୁଜିସି ନିୟମାବଳୀ କାର୍ଯ୍ୟକାରୀ ହେଉ ନ ଥିବା ଉଭୟ ଆବେଦନକାରିଣୀ ମାଆଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂ କୋର୍ଟଙ୍କୁ କହିଥିଲେ। ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ ସେମାନେ ଆତ୍ମହତ୍ୟା କରିଥିବାର ପ୍ରମାଣ ରହିଛି। ଶିକ୍ଷାନୁଷ୍ଠାନଗୁଡ଼ିକରେ ସମାନତା, ଜୀବନ ଧାରଣ ଭଳି ମୌଳିକ ଅଧିକାର କାର୍ଯ୍ୟକାରୀ କରିବା ଏବଂ ଜାତିଗତ ପକ୍ଷପାତିତା ଦୂର କରିବା ପାଇଁ ଆବେଦନକାରୀ ଅନୁରୋଧ କରିଛନ୍ତି।

Share