Categories: ଜାତୀୟ

କେନ୍ଦ୍ରକୁ ଟାର୍ଗେଟ କଲେ ରାହୁଲ: ମୁଁ ହିନ୍ଦୁ, ହିନ୍ଦୁତ୍ୱବାଦୀ ନୁହେଁ

ଜୟପୁର,୧୨ ।୧୨: ରାଜସ୍ଥାନରେ ରବିବାର ଦରଦାମ ବୃଦ୍ଧିକୁ ବିରୋଧ କରି କଂଗ୍ରେସ ପକ୍ଷରୁ ମହାରାଲିର ଆୟୋଜନ କରାଯାଇଥିଲା । ଏହି ରାଲିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତୀୟ ଜନତା ପାର୍ଟି(ଭାଜପା) ଉପରେ ଖୁବ୍ ବର୍ଷିଛନ୍ତି । ଏଠାରେ ସେ ପୁଣିଥରେ ହିନ୍ଦୁ ଓ ହିନ୍ଦୁତ୍ୱ କଥା ଉଠାଇଛନ୍ତି । ରାହୁଲ କହିଛନ୍ତି ଦୁଇଟି ଶବ୍ଦର ଅର୍ଥ ଏକ ନ ହୋଇପାରେ । ଭିନ୍ନ ଭିନ୍ନ ଶବ୍ଦର ଭିନ୍ନ ଭିନ୍ନ ଅର୍ଥ ରହିଛି । ଗୋଟିଏ ହିନ୍ଦୁ ଅନ୍ୟଟି ହିନ୍ଦୁତ୍ୱବାଦ । ମୁଁ ହିନ୍ଦୁ କିନ୍ତୁ ହିନ୍ଦୁତ୍ୱବାଦୀ ନୁହେଁ । ମହାତ୍ମା ଗାନ୍ଧୀ ହିନ୍ଦୁ , ନାଥୁରାମ ଗଡସେ ହିନ୍ଦୁବାଦୀ । ରାହୁଲ ଆହୁରି ମଧ୍ୟ କହିଛନ୍ତି ୨ ଜୀବର ଗୋଟିଏ ଆତ୍ମା ହୋଇ ପାରେନା ସେମିତି ଦୁଇଟି ଶବ୍ଦର ଗୋଟିଏ ଅର୍ଥ ହୋଇ ନ ପାରେ । ପ୍ରତିଟି ଶବ୍ଦର ଅଲଗା ଅଲଗା ଅର୍ଥ ରହିଛି । ଦେଶର ରାଜନୀତିରେ ଆଜି ଦୁଇଟି ଶବ୍ଦ ମଧ୍ୟରେ ଅନ୍ତର ରହିଛି । ଏହି ୨ ଶବ୍ଦର ଅର୍ଥ ଅଲଗା । ସେ କହିଛନ୍ତି ହିନ୍ଦୁ ସର୍ବତା ସତକୁ ଖୋଜିଥାଏ । ତା’ର ଜୀବନ ସତ ଖୋଜି ଖୋଜି ଶେଷ ହୋଇଯାଇଥାଏ । ମହାତ୍ମା ଗାନ୍ଧୀ ସାରା ଜୀବନ ସତର ସନ୍ଧାନ କରୁଥିଲେ । ଶେଷରେ ହିନ୍ଦୁତ୍ୱବାଦୀ ତାଙ୍କ ଛାତିରେ ଗୁଳି ଚଳାଇଦେଲେ । ହିନ୍ଦୁତ୍ୱବାଦୀ ଶାସନ ଗାଦି ଆପଣେଇବାକୁ କିଛି ବି କରିପାରେ । ମାରିପାରେ, କାଟିପାରେ, ପିଟିପାରେ । ତାଙ୍କୁ ସତ୍ୟାଗ୍ରହ ନୁହେଁ ସତ୍ତାଗ୍ରହ ଦରକାର । ହିନ୍ଦୁ ଭୟକୁ ସାମ୍ନା କରିଥାଏ, ହିନ୍ଦୁତ୍ୱବାଦୀ ଭୟ ଆଗରେ ମୁଣ୍ଡ ନୁଆଁଇ ଦିଅନ୍ତି । ଏଭଳି ଭାବେ କେନ୍ଦ୍ର ଉପରେ ବର୍ଷିଛନ୍ତି ରାହୁଲ ।

Share