Categories: ବାଣିଜ୍ୟ

କେନ୍ଦ୍ରକୁ ମିଳିବ ଅତିରିକ୍ତ ୩୦ ହଜାର କୋଟି ଟିକସ

ନୂଆଦିଲ୍ଲୀ,୮-୭: ସାଧାରଣ ବଜେଟରେ ଅତି ଧନୀଙ୍କ ବ୍ୟକ୍ତିଗତ ଆୟକର ଏବଂ ପେଟ୍ରୋଲ-ଡିଜେଲ ଉପରେ ଶୁଳ୍କ ବୃଦ୍ଧି ଯୋଗୁ ଚଳିତ ଆର୍ଥିକ ବର୍ଷ ୨୦୧୯-୨୦ରେ କେନ୍ଦ୍ର ସରକାରଙ୍କୁ ବାର୍ଷିକ ୩୦ ହଜାର କୋଟି ଟଙ୍କାର ଅତିରିକ୍ତ ରାଜସ୍ବ ମିଳିବ ବୋଲି ଆଶାବ୍ୟକ୍ତ କରାଯାଇଛି। ରାଜସ୍ବ ସଚିବ ଅଜୟ ଭୂଷଣ ପାଣ୍ଡେ କହିଛନ୍ତି, ସରକାର ତୈଳ ଉପରେ ଉତ୍ପାଦ ଶୁଳ୍କ ଓ ସେସ୍‌, ସୁନା ଓ ଅନ୍ୟ ଧାତୁ ଉପରେ ସୀମାଶୁଳ୍କ ବୃଦ୍ଧି କରିବା ସହ ଅତିଧନୀଙ୍କ ଉପରେ ଆୟକର ବୋଝ ଲଦି ଦେବା ଯୋଗୁ ଅତିରିକ୍ତ ରାଜସ୍ବ ପାଇବାକୁ ଯାଉଛନ୍ତି। କିନ୍ତୁ ୪୦୦ କୋଟି ଟଙ୍କାର ବାର୍ଷିକ କାରବାର କରୁଥିବା କମ୍ପାନୀଙ୍କ ଉପରେ ୨୫% କର୍ପୋରେଟ ଟିକସ ଆଦାୟ ଲାଗି ବଜେଟରେ ଘୋଷଣା ହେବା ଯୋଗୁ ରାଜସ୍ବ ଆୟ ବାବଦରେ ସରକାର ବାର୍ଷିକ ୪ ହଜାର କୋଟି ଟଙ୍କା କ୍ଷତି ସହିବେ। କାରଣ ବର୍ତ୍ତମାନ ବାର୍ଷିକ ୨୫୦ କୋଟି ଟଙ୍କା କାରବାର ଉପରେ ୨୫% କର୍ପୋରେଟ ଟିକସ ଆଦାୟ ହେଉଛି। ସେହିପରି ପେଟ୍ରୋଲ-ଡିଜେଲ ଉପରେ ୨ ଟଙ୍କା ଟିକସ ବୃଦ୍ଧି ଯୋଗୁ ଚଳିତ ଆର୍ଥିକ ବର୍ଷରେ ସରକାରଙ୍କୁ ଅବଶିଷ୍ଟ ମାସରେ ପ୍ରାୟ ୨୨ହଜାର କୋଟି ଟଙ୍କା ରାଜସ୍ବ ମିଳିବ ବୋଲି ଆକଳନ କରାଯାଇଛି। ଏଭଳି ଭାବେ ଅତିଧନୀଙ୍କ ଉପରେ ଅତିରିକ୍ତ ସରଚାର୍ଜ ବୃଦ୍ଧି କରାଯିବା ଯୋଗୁ ପ୍ରାୟ ୧୨ରୁ ୧୩ ହଜାର କୋଟି ଟଙ୍କା ମିଳିବ। ଅନୁରୂପ ଭାବେ ସୁନା ଓ ଅନ୍ୟ ଧାତୁ ଉପରେ ଆମଦାନୀ ଶୁଳ୍କକୁ ୧୦ରୁ ୧୨.୫%କୁ ବୃଦ୍ଧି କରିବା ଲାଗି ବଜେଟରେ ପ୍ରସ୍ତାବ ଦିଆଯାଇଥିବାରୁ ଏଥିରୁ ସରକାରୀ ତହବିଲକୁ ପ୍ରାୟ ୩ରୁ ୪ ହଜାର କୋଟି ଟଙ୍କା ଯିବ। କିନ୍ତୁ କେତେକ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ହ୍ରାସ କରିବା କାରଣରୁ ଫାଇଦା-କ୍ଷତି ସମାନ ହୋଇଯିବ। ଏହି ଦୃଷ୍ଟିରୁ ଦେଖିଲେ ସରକାର ତେଲରୁ ହିଁ ଅତିରିକ୍ତ ୩୦ ହଜାର କୋଟି ଟଙ୍କା ପାଇବେ।

Share