କେନ୍ଦ୍ରମନ୍ତ୍ରୀଙ୍କୁ ନବୀନଙ୍କ ଚିଠି: ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ଚଳାଚଳ ପାଇଁ ଦାବି

ଭୁବନେଶ୍ୱର, ୧୩।୭(ବ୍ୟୁରୋ): ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ଚଳାଚଳ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରିଛନ୍ତି। ଏ ନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ଓ ସହର ବ୍ୟାପାର ମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଲେଖିଛନ୍ତି ଯେ, ଭୁବନେଶ୍ୱରରୁ ଦୁବାଇ ଓ ଅନ୍ୟ ମଧ୍ୟପ୍ରାଚ୍ୟ ଦେଶକୁ ସିଧାସଳଖ ବିମାନ ଚଳାଚଳର ବ୍ୟବସ୍ଥା ନ ଥିବାରୁ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ଚଳାଚଳ କରାଗଲେ ଏଭଳି ସମସ୍ୟାର ସମାଧାନ ହୋଇପାରିବ। ଭୁବନେଶ୍ୱରରୁ ଭାୟା ନୂଆଦିଲ୍ଲୀ ଦେଇ ମଧ୍ୟପ୍ରାଚ୍ୟ ରଷ୍ଟ୍ରକୁ ଏୟାର ଇଣ୍ଡିଆର ଅନ୍ତର୍ଜାତୀୟ ବିମାନ ଚଳାଚଳ ସେବା ଥିଲେ ମଧ୍ୟ ତାହା ଅଧିକ ଅର୍ଥ ଓ ସମୟ ସାପେକ୍ଷ ହେଉଛି। ଭୁବନେଶ୍ୱରରେ ଆବଶ୍ୟକୀୟ ଯାତ୍ରୀ ଥିବାରୁ ଭୁବନେଶ୍ୱରରୁ ଦୁବାଇ ପର୍ଯ୍ୟନ୍ତ ବିମାନ ଚଳାଚଳର ଆବଶ୍ୟକତା ରହିଛି। ଏୟାର ଇଣ୍ଡିଆ କିମ୍ବା ଅନ୍ୟ ଆନ୍ତର୍ଜାତିକ ବିମାନ କମ୍ପାନୀ ଜରିଆରେ ଭୁବନେଶ୍ୱରରୁ ଦୁବାଇ ପର୍ଯ୍ୟନ୍ତ ସିଧାସଳଖ ବିମାନ ଚଳାଚଳ କରିବାକୁ ନବୀନ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

Share