କେନ୍ଦ୍ରମନ୍ତ୍ରୀଙ୍କୁ ସଂସଦୀୟ କ୍ଷେତ୍ର ଦାବି ଜଣାଇଲେ ସପ୍ତଗିରି

ଜୟପୁର,୧୨।୨(ନି.ପ୍ର.) – କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରିଙ୍କୁ ସାକ୍ଷାତ କରିଛନ୍ତି କୋରାପୁଟ ଏମ୍‌ପି ସପ୍ତଗିରି ଉଲ୍ଲାକା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭି.କେ. ସିଂ ଓ ବିଜେଡି ଏମ୍‌ପିଙ୍କ ସହ ସେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଥିଲେ। ଏହି ସାକ୍ଷାତ ଅବସରରେ ଅନ୍ୟମାନେ ରାଜ୍ୟର ବିକାଶ କଥା ଉଠାଇଥିବା ବେଳେ ସପ୍ତଗିରି ନିଜ ସଂସଦୀୟ କ୍ଷେତ୍ରର ଦାବି କଥା ଜଣାଇଥିଲେ। ଗତ ଡିସେମ୍ବରରେ ସେ ଉକ୍ତ ଦାବି ସମ୍ପର୍କିତ ପତ୍ର କେନ୍ଦ୍ରମନ୍ତ୍ରୀଙ୍କୁ ଦେଇଥିଲେ ମଧ୍ୟ ଏଯାବତ୍‌ କିଛି ପଦକ୍ଷେପ ହୋଇ ନ ଥିବା ସେ ସାକ୍ଷାତ ଆଲୋଚନା ବେଳେ କହିଥିଲେ। ନିଜ ସଂସଦୀୟ କ୍ଷେତ୍ରରେ ଯୋଗାଯୋଗ ତଥା ଜାତୀୟ ରାଜପଥର ବିକାଶ ପାଇଁ ସେ ଦାବି ଜଣାଇଥିଲେ। ୨୬ ଓ ୩୨୬ ନମ୍ବର ଜାତୀୟ ରାଜପଥ ଏବେ ମରଣଯନ୍ତା ପାଲଟିଛି ା ୨୬ ନଂ ଏନ୍‌ଏଚ୍‌ ବୋରିଗୁମ୍ମା, ଜୟପୁର, କୋରାପୁଟ, ପଟ୍ଟାଙ୍ଗି ଓ ସୁଙ୍କି ଦେଇ ଯାଇଥିବା ବେଳେ ପ୍ରାୟ ୧୫୦ କିମି ରାସ୍ତାରେ ଖାଲଖମା ଯୋଗୁ ନିତିଦିନ ଦୁର୍ଘଟଣା ଘଟୁଛି। ସେହିପରି ଜାତୀୟ ରାଜପଥ ୩୨୬ ଦୀର୍ଘ ୯ ବର୍ଷ ହେବ ନିର୍ମାଣ ଚାଲିଛି ା ରାୟଗଡ଼ା- ଆସିକା ଭାୟା ଗୁମୁଡ଼ା- ଅଡବା- ମୋହନା ଦେଇ ଏହା ଯାଇଛି। କିନ୍ତୁ ମୁକୁନ୍ଦପୁର ଅଞ୍ଚଳରେ କାମ ଧିମେଇଛି। ଏହି ଦୁଇଟି ରାଜପଥକୁ ୪ ଲାଇନ କଲେ ଟ୍ରାଫିକ ସମସ୍ୟା ଦୂର ହେବ ବୋଲି ସେ ପ୍ରସ୍ତାବ ରଖିଛନ୍ତି। ସେହିପରି ରାଜପଥର ରାୟଗଡ଼ା, କୋରାପୁଟ, ଜୟପୁର, କାକିରିଗୁମ୍ମା ବାଇପାସ ତୁରନ୍ତ ନିର୍ମାଣ କରିବାକୁ ସେ ଦାବି କରିଛନ୍ତି। କୋରାପୁଟ ଜିଲା ଲମତାପୁଟ ବ୍ଲକର ୬ଟି ପଞ୍ଚାୟତ କୋଲାବ ଜଳଭଣ୍ଡାର ଯୋଗୁ ବିଚ୍ଛିନ୍ନ ହୋଇ ରହିଛନ୍ତି। ତେଣୁ କେନ୍ଦ୍ର ସରକାର ସିନ୍ଧିପୁଟରେ ୧୨ ଶହ ମିଟର ଜଳଭଣ୍ଡାର ଉପରେ ପୋଲ ନିର୍ମାଣ କରିବା ପାଇଁ ସପ୍ତଗିରି କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।