କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ବୈଠକ: ଇସ୍ପାତ ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ

ଭୁବନେଶ୍ୱର,୨୨ା୮(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଦେଶରେ ଇସ୍ପାତ ଉତ୍ପାଦନ ବୃଦ୍ଧି ସମ୍ପର୍କିତ ଏକ ସମୀକ୍ଷା ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଇସ୍ପାତ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, ଯୁଗ୍ମ ପ୍ଲାଣ୍ଟ କମିଟି ଏବଂ ସିଆର୍‌ଆଇଏସ୍‌ଆଇଏଲ୍‌ର ପ୍ରମୁଖ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ।
ଇସ୍ପାତ ଉତ୍ପାଦନ ଦିଗର ନୂତନ ପଦ୍ଧତି ଉଦ୍ଭାବନ ଉପରେ କେନ୍ଦ୍ରମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଇସ୍ପାତ ଆମଦାନୀ ହ୍ରାସ କରିବା ସହ ଭାରତକୁ କିପରି ଇସ୍ପାତ ରପ୍ତାନି ରାଷ୍ଟ୍ରରେ ପରିଣତ କରାଯିବ, ସେ ଦିଗରେ ଆଲୋଚନା କରିଥିଲେ। ଏହି ଅବସରରେ ଅଧିକାରୀମାନଙ୍କୁ ପରାମର୍ଶ ଦେଇ ଧର୍ମେନ୍ଦ୍ର କହିଥିଲେ ଯେ, ସାରା ବିଶ୍ୱରେ ଶିଳ୍ପବିପ୍ଳବ ୪.୦ ମଧ୍ୟଭାଗରେ ରହିଛି। ନୂଆ ବୈଷୟିକ ପଦ୍ଧତି ବ୍ୟବହାର ଓ ବିଚାର ଦ୍ୱାରା ଆଗାମୀ ଦିନରେ ଭାରତକୁ ବିଶ୍ୱରେ ଇସ୍ପାତ ନେତୃତ୍ୱ ନେଇପାରିବା ଭଳି ଶିଳ୍ପ ଶକ୍ତିଭାବେ ଗଢ଼ିତୋଳିବା ଉପରେ କେନ୍ଦ୍ରମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଜାତୀୟ ଇସ୍ପାତ ନୀତି-୨୦୧୭ ରିପୋର୍ଟ ଅନୁଯାୟୀ, ଦେଶର ମୁଣ୍ଡ ପିଛା ଇସ୍ପାତ ବ୍ୟବହାର ବିଶ୍ୱ ହାରାହାରି ୨୦୮ ଗ୍ରାମ୍‌ ତୁଳନାରେ ମାତ୍ର ୬୨ ଗ୍ରାମ୍‌ ରହିଛି। ଏହି ଚାହିଦା ଦ୍ରୁତ ବୃଦ୍ଧିର ସମ୍ଭାବନା ପରିପ୍ରେକ୍ଷୀରେ ଇସ୍ପାତ ଉତ୍ପାଦନ କ୍ଷମତା ବୃଦ୍ଧି ମଧ୍ୟ ଜରୁରୀ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କହିଛନ୍ତି।