Categories: ଜାତୀୟ

କେନ୍ଦ୍ରମନ୍ତ୍ରୀ ସୁପ୍ରିୟୋ ହଟହଟା

କୋଲକାତା,୨୦-୯(ପି.ଟି.):ଏବିଭିପି ପକ୍ଷରୁ ଆୟୋଜିତ ଏକ ସେମିନାରରେ ଉଦ୍‌ବୋଧନ ଦେବାକୁ ଯାଇଥିବା କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କୁ ଯାଦବପୁର ବିଶ୍ୱବିଦ୍ୟାଳୟରେ ହଟହଟା ହେବାକୁ ପଡ଼ିଛି। ଗୋଟିଏ ଛାତ୍ରଗୋଷ୍ଠୀ ତାଙ୍କୁ କଳାପତାକା ଦେଖାଇ ଠେଲାପେଲା କରିଥିଲେ। ଘଟଣାସ୍ଥଳରେ ବିଶ୍ୱବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳ ଜଗଦୀପ ଧନ୍‌ଖର ମଧ୍ୟ ଉପସ୍ଥିତ ଥିଲେ। ବାମଦଳ ସମର୍ଥତ୍ତ ଦୁଇ ଛାତ୍ର ସଂଗଠନ ଭାରତୀୟ ଛାତ୍ର ସଂଘ ଏବଂ ଆର୍ଟ ଫାକଲ୍ଟି ଛାତ୍ରସଂସଦ (ଏଏଫ୍‌ଏସ୍‌ୟୁ)ର ସଦସ୍ୟମାନେ ତାଙ୍କୁ କ୍ୟାମ୍ପସ୍‌ ବାହାରେ ଦେଢ଼ଘଣ୍ଟା ଧରି ଅଟକ ରଖିଥିଲେ। ‘ବାବୁଲ ସୁପ୍ରିୟୋ ଫେରିଯାଅ’ ବୋଲି ସେମାନେ ସ୍ଲୋଗାନ ଦେଇଥିଲେ। ଅପରାହ୍ନ ୫ଟାରେ ସେ କ୍ୟାମ୍ପସ୍‌ ଛାଡୁଥିବାବେଳେ ପୁଣିଥରେ ବିରୋଧର ସମ୍ମୁଖୀନ ହୋଇଥିଲେ। ବିକ୍ଷୋଭକାରୀ ଛାତ୍ରଗୋଷ୍ଠୀ ରାସ୍ତା ଅବରୋଧ କରି ତାଙ୍କ ଚୁଟି ଟାଣିବା ସହ ଠେଲାପେଲା କରିଥିବା ମନ୍ତ୍ରୀ କହିଛନ୍ତି। ସେମାନେ ନିଜକୁ ନକ୍ସଲ ବୋଲି ଖୋଲାଖୋଲି କହୁଥିଲେ। ଫାସୀବାଦୀ ଶକ୍ତିକୁ କ୍ୟାମ୍ପସରେ ପୂରାଇ ଦିଆଯିବ ନାହିଁ ବୋଲି ଏଏଫ୍‌ଏସ୍‌ୟୁ ନେତା ଦେବରାଜ ଦେବନାଥ କହିଥିଲେ। ସେ ରାଜନୀତି କରିବାକୁ ଆସି ନ ଥିଲେ। ବିଶ୍ୱବିଦ୍ୟାଳୟ ଛାତ୍ରଙ୍କ ବ୍ୟବହାରରେ ସେ ଦୁଃଖିତ ବୋଲି ବାବୁଲ ଖବରଦାତାମାନଙ୍କୁ କହିଛନ୍ତି।

Share