କେନ୍ଦ୍ରଶାସିତ ଅଞ୍ଚଳ ଗଠନ ବେଆଇନ: ଚାଇନା,ଭାରତ କହିଲା ମୁଣ୍ଡ ଖେଳାଅନି

ବେଜିଂ/ନୂଆଦିଲ୍ଲୀ,୧।୧୧(ପି.ଟି.):ଜମ୍ମୁ-କଶ୍ମୀରକୁ ଦୁଇଭାଗ କରାଯାଇ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଗଠନ କରିବା ବେଆଇନ ବୋଲି ଗୁରୁବାର ଚାଇନା କହିଛି। ଚାଇନାର କେତେକ ଅଞ୍ଚଳକୁ ନିଜ ପ୍ରଶାସନିକ ସୀମାଭୁକ୍ତ କରିବା ଲାଗି ଭାରତ ନିଷ୍ପତ୍ତି ନେଇଥିବାରୁ ଏହା ବେଜିଂର ସାର୍ବଭୌମତ୍ୱକୁ ଚ୍ୟାଲେଞ୍ଜ କରିଛି ବୋଲି ଏହାର ବହିର୍ବ୍ୟାପାର ବିଭାଗ ମୁଖପାତ୍ର ଗେଙ୍ଗ୍‌ ଶୁଆଙ୍ଗ ଗଣମାଧ୍ୟମକୁ କହିଛନ୍ତି। ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ଓ ଏହାକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରିବା ଲାଗି ଭାରତର ଅଗଷ୍ଟ ୫ ନିଷ୍ପତ୍ତିକୁ ଚାଇନା ପୂର୍ବରୁ ବିରୋଧ କରିଥିଲା। ଭାରତ ଏକପାଖିଆ ଭାବେ ଏହାର ଘରୋଇ ଆଇନ ପରିବର୍ତ୍ତନ କରିବା ସହ ପ୍ରଶାସନିକ ବିଭାଜନ କରିଥିବାରୁ ଏହା ଚାଇନା ସାର୍ବଭୌମତ୍ୱ ବିରୋଧରେ ଯାଇଛି। ଏହା ବେଆଇନ ହୋଇଥିବାରୁ କୌଣସି ପ୍ରକାରେ କାର୍ଯ୍ୟକାରୀ ହୋଇପାରିବ ନାହିଁ ଏବଂ ଚାଇନାର ପ୍ରକୃତ ନିୟନ୍ତ୍ରଣରେ ଥିବା ଅଞ୍ଚଳକୁ ବଦଳାଯାଇପାରିବ ନାହିଁ ବୋଲି ଗେଙ୍ଗ୍‌ କହିଛନ୍ତି। ଚାଇନାର ଆଞ୍ଚଳିକ ସାର୍ବଭୌମତ୍ୱକୁ ସମ୍ମାନ ଦେବା ସହ ଚୁକ୍ତିନାମାକୁ ମାନିବା ଓ ସୀମାନ୍ତ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବାକୁ ବେଜିଂ ନୂଆଦିଲ୍ଲୀକୁ ଆହ୍ବାନ ଦେଇଛି।
ଅନ୍ୟପକ୍ଷରେ ଚାଇନାର ଅଭିଯୋଗକୁ ଭାରତ ପକ୍ଷରୁ ଖଣ୍ଡନ କରାଯାଇଛି। ଜମ୍ମୁ-କଶ୍ମୀରର ପୁନର୍ଗଠନ ଭାରତର ସମ୍ପୂର୍ଣ୍ଣ ଆଭ୍ୟନ୍ତରୀଣ ବ୍ୟାପର ଏବଂ ଏହା ଉପରେ ଅନ୍ୟ ଦେଶର ମନ୍ତବ୍ୟ ଆଶା କରାଯାଏ ନାହିଁ ବୋଲି ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଜମ୍ମୁ-କଶ୍ମୀର ଓ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳର ଏକ ବିସ୍ତୀର୍ଣ୍ଣ ଅଞ୍ଚଳକୁ ଚାଇନା ଅକ୍ତିଆର କରି ରଖିଥିବା ନୂଆଦିଲ୍ଲୀ କହିଛି। ତଥାକଥିତ ଚାଇନା-ପାକିସ୍ତାନୀ ସୀମା ରାଜିନାମା ୧୯୬୩ ଅନୁଯାୟୀ ଚାଇନା ପାକ୍‌ ଅଧିକୃତ କଶ୍ମୀର (ପିଓକେ)ରୁ ମଧ୍ୟ କିଛି ଭାରତୀୟ ଅଞ୍ଚଳକୁ କବ୍‌ଜା କରି ରଖିଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରବୀଶ କୁମାର କହିଛନ୍ତି।

Share