କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ଭଦ୍ରକ ଜିଲା ଗସ୍ତ ଓ କାର୍ଯ୍ୟ ନୀରିକ୍ଷଣ: ବକେୟା ମାମଲା ଫଇସଲା ଉପରେ ଗୁରୁତ୍ୱ

ଭଦ୍ରକ ଅଫିସ, ୨୬ା୧୧- କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଅନିଲ କୁମାର ସାମଲ ମଙ୍ଗଳବାର ଅପରାହ୍ନରେ ଭଦ୍ରକ ଜିଲା ଗସ୍ତ କରିବା ଅବସରରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ବିଭିନ୍ନ ବିଭାଗର କାର୍ଯ୍ୟ ନିରୀକ୍ଷଣ କରିଥିଲେ। ଜିଲାର ରାଜସ୍ବ ସମ୍ପର୍କିତ ତଥ୍ୟ ଓ ବକେୟା ମାମଲା ଅନୁଧ୍ୟାନ କରିବା ସହ ସେଗୁଡ଼ିକର ତୁରନ୍ତ ଫଇସଲା କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।

ଜିଲାର ରାଜସ୍ବ ଆଦାୟକୁ ତ୍ୱରାନ୍ବିତ କରାଯିବା ସହିତ ଧାର୍ଯ୍ୟଲକ୍ଷ୍ୟ ହାସଲ ଶତ ପ୍ରତିଶତ କରାଯିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଏଣୁ ଜିଲାସ୍ତରୀୟ ଅଧିକାରୀମାନେ ବିଭିନ୍ନ ବ୍ଳକ, ତହସିଲ, ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟ ଗୁଡ଼ିକୁ ନିୟମିତ ବ୍ୟବଧାନରେ ଗସ୍ତ କରି ସମୀକ୍ଷା କରିବା ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଥିଲେ। ଅନ୍ୟପକ୍ଷେ ଠିକ୍‌ ଭାବେ ଅଡିଟ୍‌ର ପାରା ଗୁଡ଼ିକୁ ଅନୁଧ୍ୟାନ କରି ପଦକ୍ଷେପ ନେବା, ନିୟମିତ ପଦୋନ୍ନତି କମିଟି ବସାଇ କର୍ମଚାରୀଙ୍କୁ ପଦୋନ୍ନତି ଦେବା, ବିଭିନ୍ନ କର୍ମଚାରୀଙ୍କ ନାମରେ ଥିବା ମାମଲାଗୁଡ଼ିକର ଶୀଘ୍ର ଫଇସଲା କରିବାକୁ ସେ କହିଥିଲେ। ୫-ଟି ଆଧାରରେ ଅଧିକାରୀମାନେ କାର୍ଯ୍ୟ ନିର୍ବାହ କରିବା ସହ ମୋ ସରକାର କାର୍ଯ୍ୟକ୍ରମରେ ରୋଗୀଙ୍କୁ ଭଲ ବ୍ୟବହାର, ଉତ୍ତମ ଖାଦ୍ୟ, ନିରାମୟ ଔଷଧ ଯୋଗାଇ ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥିପ୍ରତି ଜିଲା ପ୍ରଶାସନ ଅଗ୍ରାଧିକାର ଦେବାକୁ ସେ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭାରପ୍ରାପ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ର, ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସ, ଉପଜିଲାପାଳ ପୀତାମ୍ବର ସାମଲଙ୍କ ସମେତ ଡେପୁଟି କଲେକ୍ଟର, ସହକାରୀ ଜିଲାପାଳ, ଅନ୍ୟାନ୍ୟ ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତଥିଲେ।