କେନ୍ଦ୍ରାପଡ଼ାରେ ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ; ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିଲେ ପରିବାର, ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି, ଆଳିର ୧୧ ଗାଁ ସିଲ୍‌

କେନ୍ଦ୍ରାପଡ଼ା ଅଫିସ, ୭ା୪: କେନ୍ଦ୍ରାପଡ଼ା ଜିଲାରେ ପ୍ରଥମ କରୋନା ପଜିଟିଭ ବ୍ୟକ୍ତି ସୋମବାର ଚିହ୍ନଟ ହୋଇଛନ୍ତି। ଆଳି ଅଞ୍ଚଳର ଏହି ଚିହ୍ନଟ ବ୍ୟକ୍ତିଙ୍କୁ ଜିଲା ପ୍ରଶାସନ ସହାୟତାରେ କୋଭିଡ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଛି। ସୋମବାର ରାତିରୁ ଆଳିର ଉକ୍ତ ଗ୍ରାମକୁ ସିଲ କରାଯାଇଥିଲା। ତେବେ ମଙ୍ଗଳବାର ସକାଳୁ ଗ୍ରାମର ୩ କିମି ପରିଧି ମଧ୍ୟରେ ଥିବା ୧୧ଟି ଗାଁକୁ ସିଲ୍‌ କରାଯାଇଛି। ଆକ୍ରାନ୍ତଙ୍କ ପରିବାର ସମେତ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କ ରକ୍ତ, ସ୍ବାବ ନମୁନା ସଂଗ୍ରହ କରାଯାଇ ଲ୍ୟାବ୍‌କୁ ପରୀକ୍ଷା ପାଇଁ ପଠାଯାଇଛି। ତେବେ ପରିବାର ସଦସ୍ୟ ଓ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି। ନମୁନା ପରୀକ୍ଷା ରିପୋର୍ଟ ଆସିବା ପରେ ପରବର୍ତ୍ତି ଚିକିତ୍ସା ଆରମ୍ଭ ହେବ ବୋଲି ସୂଚନା ମିଳିଛି।
ଏ ସମ୍ପର୍କରେ ଜିଲାପାଳ ସମର୍ଥ ବର୍ମା ସୂଚନା ଦେଇ କହିଛନ୍ତି ଯେ, ଆକ୍ରାନ୍ତଙ୍କ ବୟସ ୩୨ ବର୍ଷ। ଗତ ୨୪ ତାରିଖରେ ସେ ଦୁବାଇରୁ ଫେରିଥିଲେ। ସଂପୃକ୍ତ ଗ୍ରାମକୁ ଗତ ରାତିରୁ ବିଶୋଧିତ କରାଯାଉଛି।ଏଥିସହ ଗ୍ରାମ ମଧ୍ୟକୁ ପ୍ରବେଶ ଓ ପ୍ରସ୍ଥାନକୁ ନିଷେଧ କରାଯାଇଛି। ସଂପୃକ୍ତ ଗ୍ରାମ ବିଶୋଧନ ପରେ ଆଖପାଖ ଅଞ୍ଚଳର ୧୧ଟି ଗ୍ରାମକୁ ବିଶୋଧିତ କରାଯିବ। ଏଥିସହିତ ଭୂତାଣୁ ସଂକ୍ରମଣ ରୋକିବା ପାଇଁ ପ୍ରଶାସନିକ ବ୍ୟବସ୍ଥା ହେବ।

Share