କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିର, ବଡ଼ଦାଣ୍ଡର ଉନ୍ନତୀକରଣ: ୮.୫ କୋଟି ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୫।୧୧(ବ୍ୟୁରୋ)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ାର ପ୍ରସିଦ୍ଧ ବଳଦେବଜୀଉ ମନ୍ଦିର ଏବଂ ଗ୍ରାଣ୍ଡରୋଡ୍‌(ବଡ଼ଦାଣ୍ଡ)ର ଉନ୍ନୟନ ପାଇଁ ୮ କୋଟି ୫୦ ଲକ୍ଷ ଟଙ୍କା ଅନୁମୋଦନ କରିଛନ୍ତି। ଲୋକସେବା ଭବନର ସମ୍ମିଳନୀ କକ୍ଷରେ ମଙ୍ଗଳବାର ଏ ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ସମୟରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ କେନ୍ଦ୍ରାପଡ଼ା ଏମ୍‌ପି, ଜିଲାପାଳ, ବିଧାୟକ, ବଳଦେବଜୀଉ ମନ୍ଦିର ଟ୍ରଷ୍ଟ ଏବଂ ସେବାୟତମାନଙ୍କ ସହ ଆଲୋଚନା କରାଯାଇଥିଲା। ଗତ ସ୍ନାନ ପୂର୍ଣ୍ଣିମାରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ା ଗସ୍ତ କରିବା ସହ ବଳଦେବଜୀଉଙ୍କ ଦର୍ଶନ କରିଥିଲେ। ଏହି ସମୟରେ ସ୍ଥାନୀୟ ଜନସାଧାରଣ ଏବଂ ମନ୍ଦିର ସହ ଜଡ଼ିତ ଥିବା ବ୍ୟକ୍ତିବିଶେଷ ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ଏହାର ସମାଧାନ ଓ ଉନ୍ନୟନ ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ , ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା, ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଏବଂ ପୂର୍ତ୍ତ ସଚିବ ପ୍ରମୁଖ ଉପସ୍ଥିତ ରହିଥିଲେ।

Share