କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ଜଣେ ଗିରଫ, ଅଭିଭାବକ ମହଲରେ ଅସନ୍ତୋଷ

ଆନନ୍ଦପୁର,୧୩। ୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁରରେ ନୂତନକରି ଆରମ୍ଭ ହୋଇଥିବା କେନ୍ଦ୍ରୀୟ ବିଦ୍ୟାଳୟକୁ ନେଇ ଅସନ୍ତୋଷ ଲାଗିରହିଛି। ଛାତ୍ରୀଛାତ୍ରଙ୍କ ଆବେଦନ ଫର୍ମ ଚୟନ ଏବଂ ସିଲେକ୍ସନ୍‌କୁ ନେଇ ଅନିୟମିତତା ହୋଇଥିବା ଘଟଣା ଚର୍ଚ୍ଚାର ପରିସରକୁ ଆସିଥିଲା। ତେବେ ନାମଲେଖାରେ କୌଣସି ଅନିୟମିତତା ହୋଇ ନ ଥିବା ଅଧ୍ୟକ୍ଷ ସୁଶାନ୍ତ କୁମାର ସେଠୀ ସ୍ପଷ୍ଟିକରଣ ଦେଇଥିଲେ। ତେବେ ଗୁରୁବାର ଆନନ୍ଦପୁର ଅଞ୍ଚଳର ଜଣେ ଅଭିଭାବକ ଝିଅର ନାମଲେଖା ହୋଇପାରି ନ ଥିବାରୁ ଅସନ୍ତୋଷ ପ୍ରକାଶକରି ଅଧ୍ୟକ୍ଷଙ୍କୁ ଆକ୍ରମଣ କରିଥିଲେ। ଏଥିରେ ଭୟଭୀତ ହୋଇ ଅଧ୍ୟକ୍ଷ ସେଠୀ ସ୍ଥାନୀୟ ଜଣେ ବ୍ୟକ୍ତିଙ୍କ ଘରେ ଆଶ୍ରୟ ନେଇଥିଲେ। ପରବର୍ତ୍ତୀ ସମୟରେ ସେ ଆନନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାରକରି ପୋଲିସ କେସ୍‌ ନଂ. ୧୬୯/୧୯ରେ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା। ପୋଲିସ ଅଭିଯୁକ୍ତ ଆନନ୍ଦପୁରର ବିଜୟ ମିଶ୍ରଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ଅନ୍ୟପକ୍ଷରେ ବିଦ୍ୟାଳୟରେ ନାମ ଲେଖାଇଥିବା ଛାତ୍ରୀଛାତ୍ରଙ୍କ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ପରବର୍ତ୍ତୀ ସମୟରେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିଙ୍କ ଘଟଣାରେ ହସ୍ତକ୍ଷେପ ପରେ ପରିସ୍ଥିତି ସ୍ବାଭାବିକ ହେବା ସହ ପାଠପଢ଼ା ଆରମ୍ଭ ହୋଇଥିଲା। ତେବେ ଘଟଣାର ତଦନ୍ତ କରୁଥିବା ଆନନ୍ଦପୁର ପୋଲିସ ଘଟଣା ଦିନ କେନ୍ଦ୍ରୀୟ ବିଦ୍ୟାଳୟକୁ ଆସି ନ ଥିଲା। ଫଳରେ ବିଦ୍ୟାଳୟ କାର୍ଯ୍ୟାଳୟରେ ଅଭିଯୁକ୍ତ ବ୍ୟବହାର କରିଥିବା ମଦ ବୋତଲ ସେହିଭଳି ପଡିରହିଥିଲା। ଯାହାକୁ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ଅଭିଭାବକଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି। ତେବେ ବିଦ୍ୟାଳୟର ସ୍ବାଭାବିକ ଅବସ୍ଥା ଫେରିବା ପର୍ଯ୍ୟନ୍ତ ଜଣେ ପୋଲିସ କର୍ମଚାରୀ ବିଦ୍ୟାଳୟ ପରିସରରେ ନିୟୋଜିତ ରହିବା ପାଇଁ ଅଭିଭାବକମାନେ ଦାବି କରିଛନ୍ତି।