କେନ୍ଦ୍ରୀୟ ବିଦ୍ୟାଳୟ ଛାତ ଉପରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର,୭।୧୨(ବ୍ୟୁରୋ): ଶିକ୍ଷୟିତ୍ରୀଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଜଣେ ଛାତ୍ରୀ ଶୁକ୍ରବାର ଅପରାହ୍ନରେ ବିଦ୍ୟାଳୟର ୩ ମହଲା ଛାତରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମଞ୍ଚେଶ୍ୱର ଥାନା ଅଧୀନ ଗାଡ଼କଣସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ-୩ରେ ଏଭଳି ଘଟଣା ଘଟିଛି। ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ହାତ, ଗୋଡ଼ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ପରିବାର ଲୋକେ ରାତିରେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଛାତ୍ରୀ ଜଣକ ମଞ୍ଚେଶ୍ୱର ରେଲଓ୍ବେ କଲୋନୀରେ ପରିବାର ସହ ରହୁଥିବାବେଳେ କେନ୍ଦ୍ରୀୟ ବିଦ୍ୟାଳୟ-୩ରେ ଯୁକ୍ତ୨ରେ ପଢୁଛନ୍ତି। ତାଙ୍କୁ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀ ବିନା କାରଣରେ ଗାଳିଗୁଲଜ କରନ୍ତି। ସହପାଠୀଙ୍କ ସହ କଥା ହେଲେ ପାଟି କରିବା ସହ ମାଡ଼ ମାରନ୍ତି। ଶୁକ୍ରବାର ଶିକ୍ଷୟିତ୍ରୀ ଜଣକ ସାମାନ୍ୟ କଥାକୁ ନେଇ ତାଙ୍କୁ ମାଡ଼ ମାରିଥିଲେ। ଫଳରେ ଛାତ୍ରୀ ଜଣକ ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ବିଦ୍ୟାଳୟର ୩ତାଲା ଛାତକୁ ଯାଇ ଡେଇଁ ପଡିଥିଲେ। ଅନ୍ୟ ଛାତ୍ରୀମାନେ ଦୌଡ଼ି ଆସି ତାଙ୍କୁ ଉଦ୍ଧାର କରିବା ସହ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ବିଦ୍ୟାଳୟ କର୍ମଚାରୀମାନେ ଛାତ୍ରୀଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ମଞ୍ଚେଶ୍ୱର ଥାନା ଅଧିକାର ଜିତେନ୍ଦ୍ରନାଥ ସେଠୀ କହିଛନ୍ତି ଯେ, ଘଟଣା ସମ୍ପର୍କରେ ରାତି ପ୍ରାୟ ସାଢ଼େ ୧୦ଟାରେ ଅଭିଯୋଗ ମିଳିଛି। ଶନିବାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Share