କେନ୍ଦ୍ରୀୟ ବିଦ୍ୟାଳୟ ଟିମ୍‌ର ସ୍ଥାନ ପରିଦର୍ଶନ

ଆନନ୍ଦପୁର,୪।୬(ସ୍ବ.ପ୍ର.): କେନ୍ଦ୍ରୀୟ ବିଦ୍ୟାଳୟର ଏକ ଟିମ୍‌ କେନ୍ଦୁଝର ଜିଲା ଆନନ୍ଦପୁରରେ ପ୍ରସ୍ତାବିତ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାନ ପରିଦର୍ଶନ କରି ଫେରିଛନ୍ତି। ଏହି ଟିମ୍‌ରେ କଟକ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ ମିଶ୍ର, କେନ୍ଦୁଝର କେନ୍ଦ୍ରୀୟ ବିଦ୍ୟାଳୟର ହେମନ୍ତ କୁମାର ସାହୁ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ପ୍ରସ୍ତାବିତ ଶିଆଡିମାଳିଆର ୮ ଏକର ବିଶିଷ୍ଟ ଜାଗା ପରିଦର୍ଶନ କରିଛନ୍ତି। ଏହା ସହିତ ଅସ୍ଥାୟୀ ଭାବେ ବିଦ୍ୟାଳୟ ଚାଲୁ କରିବା ପାଇଁ ୧୦ ଲକ୍ଷ ବ୍ୟୟ ଅଟକଳରେ ନବକଳେବର କରାଯାଇଥିବା ବ୍ରିଜଛକ ସ୍ଥିତ ବ୍ରଜବନ୍ଧୁ ବିଦ୍ୟାପୀଠର ଦୁଇ ମହଲା ବିଶିଷ୍ଟ ଘର ମଧ୍ୟ ପରିଦର୍ଶନ କରିଛନ୍ତି। ଏହି ପରିଦର୍ଶନ ସମୟରେ ଆନନ୍ଦପୁର ତହସିଲଦାର ତଥା ଭାରପ୍ରାପ୍ତ ଉପଜିଲାପାଳ ତପନ କୁମାର ନାୟକ, ରାସ୍ତା ଓ ଗୃହ ନିର୍ମାଣ ବିଭାଗର ସହକାରୀ ଅଧିକାରୀ ସମୀର କୁମାର ଅଧିକାରୀ, ଆରଆଇ ସୀମା ସମନ୍ତିନୀ ସାହୁ ଉପସ୍ଥିତ ରହି କେନ୍ଦ୍ରୀୟ ବିଦ୍ୟାଳୟ ଟିମ୍‌ ସହିତ ଆଲୋଚନା କରିଛନ୍ତି।
ଅନ୍ୟପକ୍ଷରେ ପ୍ରସ୍ଥାବିତ ସ୍ଥାନର ପଟ୍ଟା ଆବେଦନ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିିଥିବା ବେଳେ ଯେତେ ଶୀଘ୍ର ସମ୍ଭବ ଆନନ୍ଦପୁର କେନ୍ଦ୍ରୀୟ ବିଦ୍ୟାଳୟକୁ କାର୍ଯ୍ୟକାରୀ କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପରିଦର୍ଶନରେ ଆସିଥିବା ଟିମ୍‌ ସୂଚନା ଦେଇଛନ୍ତି।