କେନ୍ଦ୍ରୀୟ ଯୋଜନାକୁ ନିଜ ନାଁରେ କରି ଆତ୍ମପ୍ରଚାର କରୁଛି ବିଜେଡି: ଭାଜପା

ଭୁବନେଶ୍ୱର,୧୭-୯(ବ୍ୟୁରୋ):କେନ୍ଦ୍ର ସରକାରଙ୍କ ଯୋଜନାକୁ ନିଜ ନାଁରେ କରି ରାଜ୍ୟବାସୀଙ୍କୁ ରାଜ୍ୟ ସରକାର ଭୁଆଁ ବୁଲାଇ ଚାଲିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ସରକାର ‘ବିଜୁ ପକ୍କା ଘର’ ଲୋଗୋ ଓ ନାଁ ଦେଇ ସାଧାରଣ ଲୋକଙ୍କୁ ଭ୍ରମିତ କରୁଛନ୍ତି। ମୋଦି ସରକାର ଦେଶରେ ବିଭିନ୍ନ ପ୍ରକାରର ଜନହିତକର ଯୋଜନା ଲାଗୁ କରିଥିବା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବଳ କେନ୍ଦ୍ରୀୟ ଯୋଜନାକୁ ହଡ଼ପ କରି ନାଁ ବଦଳାଇ ବାହାବାହା ନେବାକୁ ବସିଛନ୍ତି ବୋଲି ରାଜ୍ୟ ଭାଜପା ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ଅଭିଯୋଗ କରିଛନ୍ତି।
ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଲେଖାଶ୍ରୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଗ୍ରାମାଞ୍ଚଳରେ ୪ ଲକ୍ଷ ପକ୍କାଘର ନିର୍ମାଣର ଶୁଭ ଦେବେ ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ଚିରାଚରିତ ଢଙ୍ଗରେ ସଂଘୀୟ ବ୍ୟବସ୍ଥାକୁ ଭ୍ରୂକ୍ଷେପ ନ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବିଜୁ ପକ୍କାଘର କହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହିସବୁ ପକ୍କାଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହେବ। ଚଳିତ ବଜେଟରେ ବିଜୁ ପକ୍କାଘର ଯୋଜନାରେ ଟଙ୍କା ଟିଏ ଅର୍ଥ ବରାଦ ହୋଇନାହିଁ। ରାଜ୍ୟରେ ଗରିବ ଲୋକଙ୍କୁ ମିଳୁଥିବା ସମସ୍ତ ପକ୍କାଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେଉଛି। ‘ହାଉସିଂ ଫର ଅଲ୍‌ ୨୦୨୨’ ଅନୁଯାୟୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସମସ୍ତଙ୍କୁ ପକ୍କାଘର ଯୋଗାଇଦେବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ୧୧ ସେପ୍ଟେମ୍ବର ୨୦୧୮ରେ ବିଧାନସଭା ପ୍ରଶ୍ନର ଉତ୍ତରରେ ରାଜ୍ୟ ସରକାର କହିଥିଲେ କି, ରାଜ୍ୟର ସମୁଦାୟ ୨୦ ଲକ୍ଷ ପକ୍କାଘର ମଧ୍ୟରୁ ୩ଲକ୍ଷ ୭୭ ହଜାର ହେଉଛି ବିଜୁ ପକ୍କାଘର ଆଉ ବାକି ୧୬ ଲକ୍ଷ ୨୩ ହଜାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହୋଇଛି। ୨୦୧୭-୨୦ ପର୍ଯ୍ୟନ୍ତ ରାଜ୍ୟ ସରକାର ଟଙ୍କାଟିଏ ବ୍ୟୟବରାଦ କରି ନ ଥିବାବେଳେ କେନ୍ଦ୍ର ସରକାର ୨୦୧୭-୧୮ରେ ୩ ହଜାର ୧୦୦କୋଟି, ୨୦୧୮-୧୯ରେ ୩,୬୦୦କୋଟି, ୨୦୧୯-୨୦ରେ ୪,୮୨୦କୋଟି ଟଙ୍କା ଅନୁଦାନ ଦେଇଛନ୍ତି। ବିଜ୍ଞାପନରେ ‘ରୁରାଲ ହାଉସିଂ ଫର ଅଲ’ରେ ରାଜ୍ୟ ସରକାରଙ୍କ ଲୋଗୋ ଏବଂ ମୁଖ୍ୟମନ୍ତ୍ରୀଙ୍କ ଫଟୋ ରହିଛି। ପୂର୍ବରୁ ଅନେକ ଯୋଜନା କ୍ଷେତ୍ରରେ ଏଭଳି କରାଯାଇଛି। ମୁଖ୍ୟମନ୍ତ୍ରୀ ନିଜ ଭୁଲ୍‌ ସ୍ବୀକାର କରିବା ସହିତ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦିଅନ୍ତୁ ବୋଲି ଲେଖାଶ୍ରୀ ଦାବି କରିଛନ୍ତି।

Share