Advertisement

କେନ୍ଦ୍ର ଅର୍ଥ ଲୁଟିବାକୁ ଯୋଜନା: ଭାଜପା

ଭୁବନେଶ୍ୱର,୨୨।୫(ବ୍ୟୁରୋ): ଦୁଇଦିନ ତଳେ ରାଜ୍ୟ କ୍ୟାବିନେଟ୍‌ରେ ପୂର୍ତ୍ତ ବିଭାଗରେ ବିନା ଟେଣ୍ଡରରେ ୫ ଲକ୍ଷ ଟଙ୍କାର କାମ ପାଇଁ କାର୍ଯ୍ୟାଦେଶ ଦିଆଯାଇ ପାରିବ ବୋଲି ନିଷ୍ପତ୍ତି ହୋଇଛି। ଏହାସହ ବାତ୍ୟା ‘ଫନୀ’ର ପୁନଃ ଉଦ୍ଧାର ପାଇଁ ହୋଇଥିବା ୨୦ଲକ୍ଷ ଟଙ୍କାର କାର୍ଯ୍ୟ ଅଟକଳକୁ ବିଭାଜନ କରି ବିନା ଟେଣ୍ଡରରେ ଦିଆଯାଇ ପାରିବ ବୋଲି ସରକାର ନେଇଥିବା ନିଷ୍ପତ୍ତି ଦୁର୍ଭାଗ୍ୟଜନକ ବୋଲି ଭାଜପା ଅଭିଯୋଗ କରିଛି। ଭ୍ରଷ୍ଟାଚାରରେ ଲିପ୍ତ କେତେଜଣ ମୁଷ୍ଟିମେୟ ଅଧିକାରୀ ପିସି କାରବାର କରି ବିଜେଡି ନେତାଙ୍କୁ ମାଲାମାଲ କରିବା ଯୋଜନା କରି ଏଭଳି କରିଛନ୍ତି। ବାତ୍ୟା ମୁକାବିଲା ପାଇଁ ଓ କ୍ଷତିଗ୍ରସ୍ତ ପରିବାରକୁ ଥଇଥାନ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୩୪୧ କୋଟି ଟଙ୍କା ଦେଇଥିଲେ। ଏହାକୁ ଲୁଟିବା ପାଇଁ ଶାସକ ଦଳର କେତେଜଣ ନେତା ଅଣଓଡ଼ିଆ ଅଧିକାରୀମାନଙ୍କ ସହ ହାତ ମିଳାଇ ଷଡ଼ଯନ୍ତ୍ର କରିଛନ୍ତି ବୋଲି ଭାଜପା ପକ୍ଷରୁ ଅଭିଯୋଗ କରାଯାଇଛି ।
ଭାଜପା ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ମଙ୍ଗଳବାର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ୨୦୧୫ରେ ପୂର୍ତ୍ତ ବିଭାଗ ପୂର୍ବତନ ସଚିବ ନଳିନୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ବିଭାଗର କିଛି ନିୟମାବଳୀ ପରିବର୍ତ୍ତନ କରାଯାଇଥିଲା। ଏହାସହ ଜରୁରିକାଳୀନ ଭାବେ ଏହି ନିୟମକୁ ସଂଶୋଧନ କରି ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିସି କାରବାରକୁ ପ୍ରଶ୍ରୟ ଦେଇଥିଲେ। ଏବେ ସେହି ନିୟମକୁ ଆଉଥରେ ସଂଶୋଧନ କରି ୫୦ହଜାର ଅଟକଳ ସୀମା ରାଶିକୁ ୫ଲକ୍ଷ ଟଙ୍କା କରାଇବା ପଛରେ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରିହୋଇ ପଡୁଛି ା ବାତ୍ୟା ‘ଫନୀ’ର ପୁନଃ ଉଦ୍ଧାର କାର୍ଯ୍ୟ ପାଇଁ କେନ୍ଦ୍ର ସରକାର ଦେଇଥିବା ଟଙ୍କାକୁ ସୁଚିନ୍ତିତ ଭାବେ ଷଡ଼ଯନ୍ତ୍ର କରି ହଡ଼ପ କରିବା ସରକାରଙ୍କ କିଛି ଅଫିସର ଚେଷ୍ଟା କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ରେ ସରକାର ପୂର୍ତ୍ତ ବିଭାଗ ନିୟମାବଳୀକୁ ପରିବର୍ତ୍ତନ କରି ସେଥିରେ ମୋହର ମାରିଛନ୍ତି। କାହା ସ୍ବାର୍ଥରେ ନିୟମାବଳୀକୁ ପରିବର୍ତ୍ତନ କରାଯାଇ କାର୍ଯ୍ୟାଦେଶକୁ ମଞ୍ଜୁରୀ ଦିଆଗଲା। ଏହା ଉପରେ ମୁଖ୍ୟ ଶାସନ ସଚିବ ତର୍ଜମା କରନ୍ତୁ ବୋଲି ଏହି ପ୍ରତିନିଧି ଦଳ ଦାବି କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel