Categories: ଜାତୀୟ

କେନ୍ଦ୍ର, ଆସାମକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ଏନ୍‌ଆର୍‌ସି କୋଅର୍ଡିନେଟରଙ୍କୁ ମଧ୍ୟପ୍ରଦେଶ ବଦଳି କର

ନୂଆଦିଲ୍ଲୀ,୧୯ା୧୦: ଆସାମ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) କୋଅର୍ଡିନେଟର ପ୍ରତୀକ୍‌ ହାଜେଲାଙ୍କୁ ମଧ୍ୟପ୍ରଦେଶ ବଦଳି କରିବା ଲାଗି ସୁପ୍ରିମକୋର୍ଟ ଶୁକ୍ରବାର କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ଜଷ୍ଟିସ୍‌ ଏସ୍‌.ଏ. ବୋବ୍‌ଡେ ଏବଂ ଆର୍‌.ଏଫ୍‌. ନରିମାନଙ୍କୁ ନେଇ ଗଠିତ ସ୍ବତନ୍ତ୍ର ଖଣ୍ଡପୀଠ ହାଜେଲାଙ୍କୁ ବଦଳି କରିବା ଲାଗି କହିଛନ୍ତି। ହାଜେଲାଙ୍କୁ ଡେପୁଟେଶନ୍‌ରେ ପଠାଇବା ପାଇଁ କୌଣସି କାରଣ ରହିଛି କି ବୋଲି ଆଟର୍ନି ଜେନେରାଲ କେ.କେ. ବେଣୁଗୋପାଳ ଖଣ୍ଡପୀଠଙ୍କଠାରୁ ଜାଣିବାକୁ ଚାହିଁଥିଲେ। ବିନା କାରଣରେ କୌଣସି ନିର୍ଦ୍ଦେଶନାମା ଜାରି ହୋଇପାରେ କି ବୋଲି ସିଜେଆଇ ପ୍ରଶ୍ନ କରିଥିଲେ। ତେବେ ବଦଳିର କାରଣ ସମ୍ପର୍କରେ ସିଜେଆଇ କିଛି କହି ନ ଥିଲେ। ସମ୍ଭବତଃ ହାଜେଲାଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ଧମକ ପାଇପାରିଥାନ୍ତି ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଚୂଡ଼ାନ୍ତ ଆସାମ ଏନ୍‌ଆର୍‌ସି ପ୍ରକାଶ କରିବା ଦାୟିତ୍ୱ ହାଜେଲାଙ୍କୁ ଦିଆଯାଇଥିଲା। ଅଗଷ୍ଟ ୩୧ରେ ଏନ୍‌ଆର୍‌ସି ଚୂଡାନ୍ତ ତାଲିକା ପ୍ରକାଶ ପାଇଥିଲା, ଯେଉଁଥିରୁ ୧୯,୦୬,୬୫୭ ଜଣ ଆବେଦନକାରୀ ବାଦ୍‌ ପଡ଼ିଥିଲେ।

Share