କେନ୍ଦ୍ର ପଇସା ସୁଧରେ ଆଦର୍ଶ ବିଦ୍ୟାଳୟ: ବିରୋଧୀ ଦଳ ନେତାଙ୍କ ଅଭିଯୋଗ

ଭୁବନେଶ୍ୱର,୨୧।୨(ବ୍ୟୁରୋ): ଗତ ୨୧ ବର୍ଷରେ ମାତ୍ର ୨୬ ହଜାର ବେକାରିଙ୍କୁ ସରକାର ନିଯୁକ୍ତି ଦେଇଛନ୍ତି। ଖାଲି ପଦବୀରେ ମାତ୍ର ୧% ନିଯୁକ୍ତି ଦେଇଛନ୍ତି। ସ୍କୁଲ, ଡାକ୍ତରଖାନା ସବୁଠି ପଦବୀ ଖାଲି। ୨୦୦୯ରୁ ୨୦୧୯ ମଧ୍ୟରେ ରାଜ୍ୟରେ ୨୨ ଲକ୍ଷ ୫୭ ହଜାର ବେକାର ଯୁବତୀଯୁବକ ନାମ ପଞ୍ଜୀକୃତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜିଲାରେ ୫୫,୫୫୬ ଜଣ ବେକାର ଯୁବତୀଯୁବକ ନିଯୁକ୍ତି ନ ପାଇ ନାମ ପଞ୍ଜୀକରଣ କରି ବସିଛନ୍ତି। କେନ୍ଦ୍ର ସରକାର ଦେଇଥିବା ଅନୁଦାନ ସୁଧରେ ରାଜ୍ୟରେ ସରକାର ଆଦର୍ଶ ବିଦ୍ୟାଳୟ ଖୋଲିଛନ୍ତି। ସ୍କୁଲରେ ଶିକ୍ଷକ ଦେଇପାରୁ ନାହାନ୍ତି। ଠିକା ଶିକ୍ଷକରେ କାମ ଚଳାଉଛନ୍ତି। ଗୁରୁବାର ବିଧାନସଭା ଶୂନ୍ୟକାଳରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ ଅଭିଯୋଗ କରିଥିଲେ। ଏହା କହିବା ମାତ୍ରେ ବିଜେଡି ସଭ୍ୟ ପ୍ରଦୀପ କୁମାର ଅମାତ, ଅମର ଶତପଥୀ ଏବଂ ଭୂପିନ୍ଦର ସିଂ ପଏଣ୍ଟ ଅଫ୍‌ ଅର୍ଡର ଜରିଆରେ ବିରୋଧ କରିଥିଲେ। ଅମାତ କହିଥିଲେ ଯେ ତତ୍କାଳୀନ ଉପା ସରକାର ସମୟରେ ଦେଶର ବିଭିନ୍ନ ରାଜ୍ୟରେ ୬ ହଜାରରୁ ଊର୍ଦ୍ଧ୍ୱ ଆଦର୍ଶ ବିଦ୍ୟାଳୟ ଖୋଲିବାକୁ ଯୋଜନା ହୋଇଥିଲା। ଓଡ଼ିଶାରେ ଖୋଲିବାକୁ ପ୍ରସ୍ତାବ ଥିଲା। ମାତ୍ର କେନ୍ଦ୍ରରେ ଏନ୍‌ଡିଏ ସରକାର ଆସିବା ପରେ ତାହା ବନ୍ଦ ହୋଇଗଲା। ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ଅର୍ଥମନ୍ତ୍ରୀମାନଙ୍କ ବୈଠକରେ ମୁଁ ଏହି ପ୍ରସଙ୍ଗ ଉଠାଇଥିଲି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିକ୍ଷାକୁ ଅଧିକ ଗୁରୁତ୍ୱ ଦେଉଥିବାରୁ ରାଜ୍ୟର ୩୧୪ ବ୍ଲକରେ ଆଦର୍ଶ ବିଦ୍ୟାଳୟ ନିଜସ୍ବ ଅର୍ଥରେ ଖୋଲିବାକୁ ଘୋଷଣା କରିଥିଲେ। ଏଥିରେ କେନ୍ଦ୍ର ସରକାରଙ୍କ କିଛି ଲେନାଦେନା ନାହିଁ। କୌଣସି ସୁଧ ଅର୍ଥରେ ଆଦର୍ଶ ବିଦ୍ୟାଳୟ ଖୋଲି ନ ଥିବା କହିଥିଲେ। ଅମର ଶତପଥୀ ଏବଂ ଭୂପିନ୍ଦର ସିଂ ଏହି ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ନେତା କେତେ ସୁଧ ଟଙ୍କା ପାଇଛନ୍ତି ତାହାର ହିସାବ ଦିଅନ୍ତୁ। ବିରୋଧୀ ଦଳ ନେତା ଗୃହକୁ ବିଭ୍ରାନ୍ତ କରୁଛନ୍ତି ବୋଲି ଆପତ୍ତି ଉଠାଇଥିଲେ।

Share