କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି: ୧୭ ଆଦର୍ଶ ପର୍ଯ୍ୟଟନସ୍ଥଳୀ ତାଲିକାରେ ଜଗନ୍ନାଥ ମନ୍ଦିର, ସୂର୍ଯ୍ୟ ମନ୍ଦିରକୁ ସାମିଲ କରାଯାଉ

ଭୁବନେଶ୍ୱର, ୨୬।୭(ବ୍ୟୁରୋ): ଦେଶର ୧୭ଟି ଆଦର୍ଶ ପର୍ଯ୍ୟଟନସ୍ଥଳୀ ତାଲିକାରେ ପୁରୀ ଜଗନ୍ନାଥ ମନ୍ଦିର ଓ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ସାମିଲ କରାଯାଉ। ଏ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ ଚିଠିଲେଖି ଜଣାଇଛନ୍ତି। ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ୨୦୧୯-୨୦ ଆର୍ଥିକ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମ ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ପାଇଁ ୧୭ଟି ପ୍ରତିଷ୍ଠିତ ପର୍ଯ୍ୟଟନ କ୍ଷେତ୍ରକୁ ବିକଶିତ କରାଯିବ ବୋଲି ଘୋଷଣା କରିଛନ୍ତି। କେନ୍ଦ୍ର ସରକାର ଏହି ୧୭ଟି କ୍ଷେତ୍ରକୁ ମଡ଼େଲ ପର୍ଯ୍ୟଟନ କ୍ଷେତ୍ର ଭାବରେ ବିକଶିତ କରି ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରାଯିବାର ଯୋଜନା ରଖିଛନ୍ତି। ଶ୍ରୀକ୍ଷେତ୍ର ପୁରୀ ଓ କୋଣାର୍କ ସୂର୍ଯ୍ୟ ମନ୍ଦିରଭଳି ପବିତ୍ରସ୍ଥଳୀ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଥାଏ। ତେଣୁ ଏହାକୁ ଦୃଷ୍ଟିରେ ରଖି ଜଗନ୍ନାଥ ମନ୍ଦିର ଓ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ଆଦର୍ଶ ପର୍ଯ୍ୟଟନ ତାଲିକାରେ ସାମିଲ କରାଯିବା ନେଇ ବ୍ୟକ୍ତିଗତ ଭାବେ ଧ୍ୟାନ ଦେବାକୁ କେନ୍ଦ୍ରମନ୍ତ୍ରୀ ପ୍ରଧାନ ପର୍ଯ୍ୟଟନମନ୍ତ୍ରୀ ପଟେଲଙ୍କୁ ଅନୁରୋଧ କରିଛନ୍ତି।

Share