କେନ୍ଦ୍ର ବଜେଟ ବିରୋଧରେ ଏଆଇଟିୟୁସିର ବିକ୍ଷୋଭ

ଭୁବନେଶ୍ୱର, ୧୬।୭(ବ୍ୟୁରୋ): କେନ୍ଦ୍ର ସରକାର ତାଙ୍କ ବଜେଟରେ ଘରୋଇକରଣ ଓ କର୍ପୋରେଟଙ୍କ ଉପରେ ଗୁରୁତ୍ୱ ଦେଇଛନ୍ତି। ହେଲେ ୪୪ଟି ଶ୍ରମ ଆଇନ୍‌କୁ ୪ଟି କୋଡ୍‌ରେ ପରିବର୍ତ୍ତନ କରି ଶ୍ରମିକଙ୍କ ଅଧିକାରକୁ ଖର୍ବ କରିଛନ୍ତି। ଶ୍ରମିକଙ୍କ ପାଇଁ ବଜେଟରେ ସେପରି କିଛି ବ୍ୟବସ୍ଥା ନାହିଁ। ବଜେଟରେ ସାର୍ବଜନୀନ ମାତୃତ୍ୱକାଳୀନ ସୁବିଧା, କାର୍ଯ୍ୟ କ୍ଷେତ୍ରରେ ସୁରକ୍ଷା, ସମାନ କାମକୁ ସମାନ ମଜୁରି, ଅଙ୍ଗନୱାଡି, ଆଶା ଓ ମଧ୍ୟାହ୍ନଭୋଜନ ପାଚିକା ଏବଂ ଶ୍ରମିକଙ୍କ ପାଇଁ ମାନ୍ୟତା ଆଦିର କୌଣସି ପ୍ରାବଧାନ ନାହିଁ। ଏହା ଶ୍ରମିକ, କୃଷକ ଓ ସାଧାରଣ ଶ୍ରମଜୀବୀ ବିରୋଧୀ ବଜେଟ। ସୋମବାର କେନ୍ଦ୍ର ବଜେଟ ବିରୋଧରେ ଅନୁଷ୍ଠିତ ବିକ୍ଷୋଭ ଶୋଭାଯାତ୍ରା ଅବସରରେ ଏଆଇଟିୟୁସିର ରାଜ୍ୟ ସାଧାରଣ ସମ୍ପାଦକ ଡ. ସୌରୀବନ୍ଧୁ କର ଓ ଏଆଇଟିୟୁସି ଜାତୀୟ ପରିଷଦ ସଭ୍ୟ ଜୟନ୍ତ ଦାସ କହିଛନ୍ତି।
ଏଆଇଟିୟୁସି ଭୁବନେଶ୍ୱର ଜିଲା କମିଟି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶତାଧିକ କର୍ମୀ ସାମିଲ୍‌ ହୋଇଥିଲେ। ସେମାନେ ଅଶୋକନଗରସ୍ଥିତ ଭଗବତୀ ଭବନଠାରୁ ଶୋଭାଯାତ୍ରା ବାହାରି ମାଷ୍ଟର କ୍ୟାଣ୍ଟିନ ଦେଇ ଲୋୟର ପିଏମ୍‌ଜିଠାରେ ପହଞ୍ଚତ୍ଥିଲେ। ଏଆଇଟିୟୁସି ଭୁବନେଶ୍ୱର ଜିଲା କମିଟି ସମ୍ପାଦକ ସୁର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭରେ ସେମାନେ କେନ୍ଦ୍ର ସରକାର ଓ ବଜେଟ ବିରୋଧରେ ନାନା ନାରାବାଜି କରିଥିଲେ। ସି.ଭି.ଏନ୍‌ ରାଓ, ସୀମାଞ୍ଚଳ ବାରିକ, ପଦ୍ମଚରଣ ପାତ୍ର, ମମତା ଓଝା, ଗୋହିଗୋବିନ୍ଦ ବେଶ୍ରା, କୈଳାସ ପୁହାଣ, ପବିତ୍ର ସ୍ବାଇଁ, ନାରୀନେତ୍ରୀ ରୀତା ସେଠୀ, ଛେତମ୍ବର ଭୋଇ, ସସ୍ମିତା ନାୟକ, ବିଦ୍ୟୁତ୍‌ ଶ୍ରମିକ ନେତା ଶ୍ରୀକୃଷ୍ଣ ପଟ୍ଟନାୟକ ଓ ଲୋକନାଥ ଭୋଇ ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଇଥିଲେ।

Share