କେନ୍ଦ୍ର ବିରୋଧରେ କଂଗ୍ରେସର ବିଶାଳ ସମାବେଶ

ଫୁଲବାଣୀ ଅଫିସ, ୨୧ା୧୧-କନ୍ଧମାଳ ଜିଲା କଂଗ୍ରେସ ପକ୍ଷରୁ ଗୁରୁବାର ଫୁଲବାଣୀରେ ବିଶାଳ ସମାବେଶ କରାଯାଇଛି । ବିଭିନ୍ନ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବିଫଳତା ଦର୍ଶାଇ ଦଳୀୟ କର୍ମୀମାନେ ସହରରେ ଶୋଭାଯାତ୍ରା କରିଛନ୍ତି। ପରେ ଏକ ଦାବିପତ୍ର ଜିଲା ପ୍ରଶାସନ ଜରିଆରେ ରାଷ୍ଟ୍ରପତିଙ୍କ ନିକଟକୁ ପ୍ରେରଣ କରିଛନ୍ତି।
କଂଗ୍ରେସ ନେତା ଓ କର୍ମୀମାନେ ମାଦିକୁନ୍ଦା ଛକଠାରୁ ଶୋଭାଯାତ୍ରାରେ ବାହାରି କେନ୍ଦ୍ର ସରକାରଙ୍କ ବିଫଳତା ଉପରେ ଲୋକଙ୍କୁ ଜଣାଇଥିଲେ । ଶୋଭାଯାତ୍ରା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିବା ପରେ ସେଠାରେ ଏକ ପ୍ରତିବାଦ ସଭା କରାଯାଇଥିଲା। ଦଳର ବରିଷ୍ଠ କର୍ମକର୍ତ୍ତାମାନେ ଉପସ୍ଥିତ ରହି ଦେଶର ବର୍ତ୍ତମାନ ସ୍ଥିତି ଉପରେ ଆଲୋଚନା କରିଥିଲେ । ଏବେ ଦେଶର ଆର୍ଥିକ ସ୍ଥିତି ସମ୍ପୂର୍ଣ୍ଣ ବିଗିଡି ଯାଇଛି । ଦେଶ ଏବେ ବିଶ୍ୱ କ୍ଷୁଦାର୍ଥ ତାଲିକା(ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ)ରେ ୧୦୨ ନଂ.ରେ ରହିଛି । ଅର୍ଥନୀତି ନିମ୍ନଗାମୀ ହେଉଛି । ଗତ ତ୍ରୈମାସରେ ଜିଡିପି ହାର ୫ ପ୍ରତିଶତ ରହିଛି । ଯାହା ଗତ ୧୫ ବର୍ଷ ମଧ୍ୟରେ ସର୍ବନିମ୍ନ ା ସେହିପରି ଋଣ ଭାର ବଢ଼ି ଚାଲିଛି । ନିବେଶକମାନେ ଭାରତର ଅର୍ଥନୀତିକୁ ଦେଖି ମୁହଁ ଫେରାଇ ନେଉଛନ୍ତି। ବେରୋଜଗାରି ବଢ଼ି ଚାଲିଛି । ଯାହା ଗତ ୪୫ ବର୍ଷରେ ବଢ଼ି ୮.୧ ପ୍ରତିଶତରେ ପହଞ୍ଚିଛି । ପନିପରିବା, ପେଟ୍ରୋଲ, ଡିଜେଲ ଦର ଏନ୍‌ଡିଏ ସରକାରଙ୍କ ଅମଳରେ ଅହେତୁକ ବୃଦ୍ଧି ପାଇଛି । ଉପତ୍ାଦିତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ ପାଉନାହାନ୍ତି କୃଷକ। ଦେଶର ଏଭଳି ସ୍ଥିତିରେ କଂଗ୍ରେସ ମର୍ମାହତ । ତେଣୁ ଦେଶର ବିକାଶ ପାଇଁ ସାମ୍ବିଧାନିକ କ୍ଷମତା ପ୍ରୟୋଗ କରିବାକୁ କର୍ମକର୍ତ୍ତାମାନେ ଦାବି କରିଛନ୍ତି। କଂଗ୍ରେସ ଏମ୍‌ପି ପ୍ରାର୍ଥୀ ମନୋଜ ଆଚାର୍ଯ୍ୟ, ପୂର୍ବତନ ବିଧାୟକ ଅଭିମନ୍ୟୁ ବେହେରା, ଏଆଇସିସି ସଦସ୍ୟ ଘନ କୁମାର ଶବର, ବିଧାୟକ ପ୍ରାର୍ଥୀ ଶ୍ୟାମଘନ ପ୍ରଧାନ, ସିମନ ମଲ୍ଳିକ, ବଳଦେବ ବେହେରା, ଗୌର ଚରଣ ବେହେରା, ସଞ୍ଜୟ ଭଞ୍ଜ, ଶିବଶଙ୍କର ବେହେରା, ହେମନ୍ତ କର, ସୂର୍ଯ୍ୟକାନ୍ତ ଦାସ, ସନ୍ତୋଷ ପଟ୍ଟନାୟକଙ୍କ ସମେତ ବହୁ କର୍ମକର୍ତ୍ତା ଏବଂ ଦଳୀୟ କର୍ମୀ ଏହି ବିକ୍ଷୋଭରେ ସାମିଲ ଥିଲେ ।